କଳାହାଣ୍ଡି,୧୩/୦୯-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଜିଲ୍ଲା ଯୋଜନା ଓ ସମ୍ମନ୍ବୟ କାର୍ଯ୍ୟାଳୟ ସଭାଗୃହରେ ଭାରତ ସରକାରଙ୍କ ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉପଲକ୍ଷେ ଜାତୀୟ ସ୍ତରରେ ଭର୍ଚୁଆଲ ମୋଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଶୁଭ ଉନ୍ମୋଚନ କରିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଏହାର କାର୍ଯ୍ୟକାରିତା ଓ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା , ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ରାଜେଶ ସାହୁ, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଡ. ନିହାରେନ୍ଦ୍ର ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଏହି ଯୋଜନାର ଉଦ୍ଦେଶ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ । ସୂଚନା ଅନୁସାରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ଅନ୍ତର୍ଗତ ସାପ୍ତାହିକ ସ୍ବାସ୍ଥ୍ୟମେଳା ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଆରମ୍ଭ ହେବ ଏବଂ ଏହା ବିଭିନ୍ନ ସ୍ବାସ୍ଥ୍ୟସେବା ଓ ଉପକାରିତା ଉପରେ ଜନ ଜାଗରଣ ସୃଷ୍ଟି କରାଯିବ । ପ୍ରଥମ ସପ୍ତାହରେ ଅଣ ସଂକ୍ରାମକ ରୋଗ ଯଥା ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟରୋଗ ; ଦ୍ଵିତୀୟ ସପ୍ତାହରେ ସଂକ୍ରାମକ ରୋଗ ଡେଙ୍ଗୁ , ମ୍ୟାଲେରିଆ , ଯକ୍ଷ୍ମା ଇତ୍ୟାଦି, ତୃତୀୟ ସପ୍ତାହରେ ଶିଶୁ ସ୍ୱାସ୍ଥ୍ୟ , ପ୍ରଜନନ, ପୁଷ୍ଟିପୋଷଣ ଏବଂ ଚତୁର୍ଥ ସପ୍ତାହରେ ମାନସିକ ରୋଗ, ସିକଲସେଲ ରୋଗ, ଚକ୍ଷୁ ଚିକିତ୍ସା ଉପରେ ଗୁରୁତ୍ଵ ଦିଆଯିବ । ଏହି ମେଳାରେ ମେଡିକାଲ କଲେଜରେ ବିଭିନ୍ନ ରୋଗର ବିଶେଷଜ୍ଞ ତଥା ଡାକ୍ତରଙ୍କ ଦ୍ବାରା ରୋଗର ଚିହ୍ନଟ, ନିଦାନ ଓ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତା ଅକ୍ଟୋବର ୨ ତାରିଖରେ ପ୍ରତ୍ୟେକ ଗ୍ରାମରେ ଓ ସହର ଅଞ୍ଚଳରେ ୱାର୍ଡ ମାନଙ୍କରେ ସଭା କରାଯାଇ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା , ଆୟୁଷ୍ମାନ କାର୍ଡ , ଆଭା ଆଇଡି , ସିକଲ ସେଲ ରୋଗ , ଟୀକାକରଣ , ଯକ୍ଷ୍ମା ରୋଗ ଚିହ୍ନଟର ବ୍ୟବସ୍ଥା କରାଯିବ । ଏହି ସେବା ପକ୍ଷ କାର୍ଯ୍ୟକ୍ରମ ମଧ୍ୟରେ ସମସ୍ତ ସଦର ଡାକ୍ତରଖାନା , ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ବଚ୍ଛ ଅଭିଯାନ, ଅଙ୍ଗଦାନ ଶପଥ କାର୍ଯ୍ଯକ୍ରମ ଏବଂ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ସଭାରେ ସହରର ସଚେତନ ନାଗରିକ, ବିଭାଗୀୟ ଅଧିକାରୀ , ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ , ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଡିପିଏମ୍ ଅବନୀ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।