ପୋଖରୀବନ୍ଧ-ଲାଞ୍ଜିଗଡ଼ ରାସ୍ତା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ଅଭିଯୋଗ : ବର୍ଷାରେ ଭୁଷୁଡିପଡ଼ିଲା ଗାର୍ଡୱାଲ୍


କଳାହାଣ୍ଡି,୧୬/୦୯-କଳାହାଣ୍ଡି ଜିଲ୍ଲାରେ ରାସ୍ତା ସମସ୍ୟା ଜିଲ୍ଲାବାସୀଙ୍କ ଚିରସହଚର ପାଲଟିଥିବାବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଲାଭଖୋର ଠିକାଦାରମାନଙ୍କ ଯୋଗୁଁ ରାସ୍ତା ନିର୍ମାଣ ବାବଦକୁ ଜିଲ୍ଲାକୁ ଆସୁଥିବା କୋଟିକୋଟି ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି ! ଏଇପରି ଭାବେ ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ାରୁ କିଡିଙ୍ଗ ଏପରିକି ପୋଖରୀବନ୍ଧ ପର୍ଯ୍ୟନ୍ତ ରାସ୍ତା ଅତି କଦର୍ଯ୍ୟ ଓ ମରଣଯନ୍ତା ପାଲଟିଛି ! ଏଇ ରାସ୍ତାରେ ଦିନାତିଦିନ ଦୁର୍ଘଟଣା ବଢ଼ିଚାଲିଛି ହେଲେ ରାସ୍ତା, ନିର୍ମାଣ ଓ ମରାମତି ପାଇଁ ଆସୁଥିବା କୋଟିକୋଟି ଟଙ୍କା କୁଆଡେ ଯାଉଛି, କେଉଁଠି ଖର୍ଚ୍ଚ ହେଉଛି ସେସବୁର ହାଲ ହିସାବ କିଛି ମିଳୁନାହିଁ ! କେବଳ ସେତିକି ନୁହେଁ, କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ନିରୀକ୍ଷଣରେ ଚାଲୁଥିବା ପୋଖରୀବନ୍ଧରୁ ଲାଞ୍ଜିଗଡ଼ ରାସ୍ତା ନିର୍ମାଣ ମଧ୍ୟ ଏତେ ନିମ୍ନମାନର ଯେ କହିଲେ ନସରେ ! ନିମ୍ନମାନର ଯେତେସବୁ ସୀମା ଏଇ ରାସ୍ତା ଡେଇଁ ସାରିଥିବାବେଳେ ଏଇ ଲଗାଣ ବର୍ଷାରେ ପୋଖରୀବନ୍ଧ ଛକରୁ ମାତ୍ର ୧୦୦ ମିଟର ଦୂର ମୁଖ୍ୟରାସ୍ତା କଡ଼ରେ ନିର୍ମାଣ କରାଯାଇଥିବା ଏକ ଗାର୍ଡୱାଲ୍ ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଛି ! କମ୍ ପରିମାଣର ସିମେଣ୍ଟ ଓ କମ୍ ପରିମାଣର ଲୁହାଛଡ଼ ସହିତ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏଇ ଗାର୍ଡୱାଲ୍ ଭାଙ୍ଗିପଡ଼ିଥିବା ଅଭିଯୋଗ ହେଉଥିବାବେଳେ କାର୍ଯ୍ୟ ନିରୀକ୍ଷଣ ଦାୟିତ୍ବରେ ଥିବା ପିଡବ୍ଲ୍ୟୁଡି ଯନ୍ତ୍ରୀ ଲମ୍ବୋଦର ବେହେରା ଗାଡୱାଲ ଭାଙ୍ଗିଯିବା ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ! ବର୍ଷା ଯୋଗୁଁ ତ ଭାଙ୍ଗିଗଲା ବୋଲି ସେ ସଫେଇ ଦେଇଛନ୍ତି ! ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାସ୍ତା କଡ଼ରେ ପ୍ରବାହିତ ନଦୀ, ନାଳ ଓ ବର୍ଷାପାଣିରୁ ରାସ୍ତାକୁ ରକ୍ଷା କରିବାକୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଏସବୁ ଗାର୍ଡୱାଲ୍ ନିର୍ମାଣ କରାଯାଉଥିବାବେଳେ ଥରକର ବର୍ଷାପାଣିରେ ଯଦି ଏହା ଭୁଷୁଡ଼ିଯାଏ, ତେବେ ଠିକାଦାର କେମିତି କାମ କରିଥିବେ ତାହା ମାଆ ଗଙ୍ଗେଇଙ୍କୁ ଜଣା ବୋଲି କୁହାଯାଉଛି ! ଏହିପରି ଭାବେ ପୋଖରୀବନ୍ଧରୁ ଲାଞ୍ଜିଗଡ଼ ମଧ୍ୟରେ ଏକାଧିକ ଗାର୍ଡୱାଲ୍ ନିର୍ମାଣ ସରିଥିବାବେଳେ ଆବଶ୍ୟକତା ଅନୁସାରେ ଆଗକୁ ଆହୁରି ନିର୍ମାଣ ହେବ ବୋଲି ଜଣାପଡ଼ିଛି ! ତେବେ ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଏଇ ମାଟିରେ ମିଶିଯାଇଥିବା ଗାର୍ଡୱାଲ୍ ତାର ପ୍ରମାଣ ବୋଲି ଅଭିଯୋଗ ହୋଇଛି ! ଏଇ ରାସ୍ତା କାମର ଟେଣ୍ଡର ଏକ ନାମଜାଦା ଠିକା ସଂସ୍ଥା ହାତେଇଥିବାବେଳେ ଏସବୁ ନିମ୍ନମାନର କାମ ଦେଖି ସ୍ଥାନୀୟ ଲୋକେ ‘ନାମ୍ ବଡ଼ା, ଦର୍ଶନ୍ ଛୋଟା’ ବୋଲି କୁହାକୁହି ହେଉଛନ୍ତି ! ସେହିପରି ପୋଖରୀବନ୍ଧରୁ ଲାଞ୍ଜିଗଡ଼ ପର୍ଯ୍ୟନ୍ତ ଏଇ ରାସ୍ତାର ଅଟକଳ ମୂଲ୍ୟ ୧୬.୯୯ କୋଟି ଟଙ୍କା ହୋଇଥିବାବେଳେ ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ ହେବା କାମ ଆଉ ଦୁଇମାସ ଅଧିକ ବିତିଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ସରିବାର ନାଁ ଧରୁନାହିଁ ! କଳାହାଣ୍ଡି ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କ ଯାଏଁ ଠିକା ସଂସ୍ଥାର ହାତବାରିଶି ସାଜିଥିବାବେଳେ ନିନ୍ନମାନର କାମକୁ ସମସ୍ତେ ଆଖି ବୁଜିଦେଇଛନ୍ତି ! ଏଣୁ ପୋଖରୀବନ୍ଧରୁ ଲାଞ୍ଜିଗଡ଼ ରାସ୍ତା ନିର୍ମାଣର ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି !