Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ କୃଷି ବିଭାଗର ପାରିବାପଣିଆ ଏମିତି : ଦୁଇବର୍ଷ ହେଲା ଖର୍ଚ୍ଚ ହୋଇପାରୁନି ଲକ୍ଷଲକ୍ଷ ଟଙ୍କା

କଳାହାଣ୍ଡି,୧୬/୦୯-ବିଭିନ୍ନ ଯୋଜନାରେ ଚାଷୀଙ୍କୁ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କୁ ଉନ୍ନତମାନର ବିହନ ବ୍ୟବହାର, ଆଧୁନିକ ଚାଷ ପ୍ରଣାଳୀ ସହିତ ଅବଗତ କରାଇବା ସରକାର ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି ! ଏପରିକି ଚାଷୀମାନଙ୍କ ହିତ ପାଇଁ ସରକାର ଏସବୁ ଯୋଜନା ଲାଗୁ କରୁଥିବାବେଳେ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବହୀନତା ଓ ଇଛାଶକ୍ତିର ଅଭାବ ଯୋଗୁଁ ଲାଞ୍ଜିଗଡ଼ ବ୍ଲକ କୃଷି ବିଭାଗକୁ ଆସିଥିବା ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ପଡ଼ି ରହିଥିବା ଅଭିଯୋଗ ହେଉଛି ! ବିଭିନ୍ନ ଯୋଜନାରେ ଉନ୍ନତମାନର ଧାନ, ମୁଗ, ବିରି, କପା ଆଦି ବିହନ ବଣ୍ଟନ କରିବା ସହିତ ଏନେଇ ଚାଷୀଙ୍କୁ ତାଲିମ ଦେବା, କ୍ଷେତ୍ର ପ୍ରଦର୍ଶନ କରାଇବା, ଚାଷ ପରବର୍ତ୍ତୀ ଯତ୍ନ ନେବା ଆଦି ତାଲିମ ବାବଦକୁ ବିଗତ ଦୁଇ ବର୍ଷ ମଧ୍ୟରେ ୧୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନ ଆସିଥିବାବେଳେ ତାହା ଖର୍ଚ୍ଚ ହୋଇନପାରି ପଡି ରହିଥିବା ଅଭିଯୋଗ ହେଉଛି ! ଯାହା ଫଳରେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଚାଷୀମାନେ ସଠିକ୍ ସୂଚନା ଓ ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି ! ତେବେ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିଜସ୍ବ ଅନୁଦାନ ଖର୍ଚ୍ଚ କରିପାରୁ ନଥିବାବେଳେ ବିଭିନ୍ନ ସମୟରେ ଏନଜିଓମାନଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଚାଷ ସଂପର୍କିତ ପ୍ରକଳ୍ପ, ତାଲିମ ଆଦିରେ ନିଜର ଉପସ୍ଥିତି ଦେଖାଇ ବାହାବା ନେଉଛନ୍ତି ! ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଲାଞ୍ଜିଗଡ଼ ବ୍ଲକର କୃଷି ବିଭାଗର ଏ ଅନିୟମିତତା ଓ ଅବହେଳା ବିରୁଦ୍ଧରେ ଏକ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି !