Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୩୬ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା

ଝାରସୁଗୁଡା ୧୭/୯ (ଓଡ଼ିଶା ନ୍ୟୁଜ) ଛତିଶଗଡ଼ ରାୟଗଡ଼ ଜିଲ୍ଲା ପୁଷୌର ବ୍ଲକ ଅନ୍ତର୍ଗତ ଲାରା ଏନଟିପିସି ଦ୍ୱାରା ପ୍ରଭାବିତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ର ସୀମାନ୍ତ ୭ ଟି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସିଏସଆର ପାଣ୍ଠି ବିନିଯୋଗ କରୁନାହିଁ । ଏ ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକର ପ୍ରଭାବିତ ଭିକମପାଲି, ବାଦୀମାଲ, କନକତୋରା, ପିଥିଣ୍ଡା, ଚାରପାଲି, ରେମତା ଏବଂ କଣ୍ଡେଇକେଲା ଗ୍ରାମ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ କନକତୋରା ଛକରେ ଶୁକ୍ରବାର ସକାଳ ୯ ଟାରୁ ଏନଏଚ ୪୯ କୁ ଅବରୋଧ କରିଥିଲେ । ଯାହା ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟା ରେ ଭାରିଯାନ ଗୁଡ଼ିକ ଅଟକି ରହିଥିଲା ।
ଏ ପ୍ରସଙ୍ଗକୁ ନେଇ ଶନିବାର ଅପରାହ୍ମ ସାଢ଼େ ୪ ଟା ସମୟରେ କନକତୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ତ୍ରି ପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଝାରସୁଗୁଡା ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେଙ୍କ ନିର୍ଦ୍ଦେଶ କ୍ରମେ ଲଖନପୁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ଲାରା ଏନଟିପିସି ପାୱାର ପ୍ଲାଣ୍ଟର ଏଜିଏମ କହ୍ନେଇୟା ଦାସ,ଡିଜିଏମ ରାଜେନ୍ଦ୍ର ବେହେରା, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ, ବାଦୀମାଲ ସରପଞ୍ଚ ରାଜେଶ ପଧାନ, ରେମତା ସରପଞ୍ଚ ପ୍ରଫୁଲ ସିଂ, ଚାରପାଲି ସରପଞ୍ଚ ଅରୁଣା ସୁନାଙ୍କ ସମେତ ବିହାରୀ ନାଏକ, କାଳିଚରଣ ମେହେର, ପିକୁ ମିଶ୍ର ପ୍ରମୂଖ ଉପସ୍ଥିତିରେ ଅଞ୍ଚଳବାସୀଙ୍କ ଦାବି ଗୁଡିକ ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା ଏବଂ ସଂପୃକ୍ତ ସରପଞ୍ଚ ମାନେ ବିକାଶ ମୂଳକ କାର୍ଯ୍ୟ ପାଇଁ ପ୍ରକଳ୍ପ ଗୁଡ଼ିକ ର ଚିଠା ତାଲିକା ପ୍ରସ୍ତୁତ କରି ଲଖନପୁର ବ୍ଲକ କାର୍ଯ୍ୟାଳୟକୁ ପ୍ରଦାନ କରିବେ । ଏହା ପରେ ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ଭାବ୍ୟ ପ୍ରକଳ୍ପର ଯୋଜନା ଏବଂ ଅଟକଳ ପ୍ରସ୍ତୁତ କରି ଏନଟିପିସିକୁ ସୁପାରିଶ ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଦାଖଲ କରିବେ ଏବଂ ଏନଟିପିସି କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ କରା ଯାଇଥିବା ପ୍ରସ୍ତାବ ଗୁଡ଼ିକୁ ବିଚାର କରି ଆବଶ୍ୟକ ସିଏସଆର ପାଣ୍ଠି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଏହା ସହିତ ଝାରସୁଗୁଡା ଜିଲ୍ଲା ର ସୀମାନ୍ତରେ ଥିବା ପ୍ରଭାବିତ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ଲାରା ଏନଟିପିସି ପାୱାର ପ୍ଲାଣ୍ଟ ତାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ପ୍ରତିବର୍ଷ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଏନଟିପିସି କତ୍ତୃପକ୍ଷ ସହମତି ପ୍ରକାଶ କରିଥିଲେ । ଏ ସମସ୍ତ ଦାବି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୩୬ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ଏନଏଚ ୪୯ ରାଜପଥରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ