Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଣିଷ ହାତ ଗୋଡ଼ ଚମଡା ଓ କେଶ ଜବତ କରି , ହତ୍ୟା ସନ୍ଦେହରେ ଅଧିକ ତଦନ୍ତ ଜାରୀ ରଖିଛି ଉଲୁଣ୍ଡା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଂଚଳରୁ ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ ନିଖୋଜ ଘଟଣାରେ ଭିନ୍ନ ମୋଡ ନେଇଛି । ଦିନକୁ ଦିନ ହତ୍ୟା ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି । ଅନ୍ୟପଟେ ଉଲୁଣ୍ଡା ଥାନା ଅନ୍ତର୍ଗତ ରାଜନଗର ନିକଟ କୁକୁଡାଧୋଡ ମହାନଦୀ ଘାଟରୁ ଉଲୁଣ୍ଡା ଥାନା ପୁଲିସ ଏକ ଗଳିତ ଶବର କେସ ଏବଂ ହାତ ଓ ଗୋଡର ଚମଡା ଉଦ୍ଧାର କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ ୧୪ ତାରିଖ ସକାଳେ କୃଷ୍ଣଚନ୍ଦ୍ର ଉଲୁଣ୍ଡା ଥାନା ଅନ୍ତର୍ଗତ କୁଦପାଲି ଗ୍ରାମକୁ ଆସିଥିଲେ । ମାତ୍ର ଦୁଇ ଦିନ ପରେ ମଧ୍ୟ ଘରକୁ ଫେରି ନଥିବା ବେଳେ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ଫଳରେ ତାଙ୍କ ପତ୍ନୀ ଶୌର ଭୋଇ କୁଦପାଲି ଅଂଚଳକୁ ଆସି ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା କରିଥିବା ବେଳେ କିଛି ଦୁର୍ବୃତ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ପାଇଁ ଗୋଡାଉଥିବା ଜାଣିବାକୁ ପାଇଥିଲେ । ସେପଟେ ଉକ୍ତ ଅଂଚଳର କିଛି ଲୋକଙ୍କ ସହ କୃଷ୍ଣଚନ୍ଦ୍ରଙ୍କ ପୂର୍ବ ଶତୃତା ରହିଥିଲା । ଫଳରେ ତାଙ୍କ ପତ୍ନୀ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପୁଲିସ ଘଟଣାକୁ ପ୍ରଥମେ ହାଲୁକା ଭାବେ ନେଇଥିବା ବେଳେ ବରେଇପାଲି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ କରିଥିଲା । ମାତ୍ର ପ୍ରାଥମିକ ତଦନ୍ତ ପରେ ଘଟଣାରେ କିଛି ସତ୍ୟତା ଥିବା ଜାଣିବା ପରେ ଉଲୁଣ୍ଡା ଥାନାରେ ନିଖୋଜ ମାମଲା ୮/୨୩ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଦୁଇ ଜଣ ବ୍ୟକ୍ତଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚୁରା କରିଥିବା ଜଣାପଡିଛି । ଅନ୍ୟପଟେ ଉକ୍ତ ନଦୀଘାଟରେ ଏକ ଗଳିତ ଶବ ପଡିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଉଲୁଣ୍ଡା ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଗଳିତ ଶବର ମୁଣ୍ଡ କେସ ଏବଂ ହାତ ଓ ଗୋଡ ଚମଡା ପାଇଛି । ମାତ୍ର ଶବକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କିମ୍ବା ପାଣିରେ ଭାଷି ଯାଇଥିବା ଅନୁମାନ ହେଉଛି । ପୁଲିସ ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଅଧିକ ଖୋଜାଖୋଜି କରିଥିଲେ ମଧ୍ୟ ଶବଟିକୁ ପାଇନଥିବା ଜଣାପଡିଛି । ସେପଟେ ଉଦ୍ଧାର କରାଯାଇଥିବା ଗଳିତ ଶବର କିଛି ଅଂଶକୁ ଡିଏନଏ ଟେଷ୍ଟ ପାଇଁ ପଠାଯିବ ବୋଲି ଉଲୁଣ୍ଡା ଆଇଆଇସି ସୂଚନା ଦେଇଛନ୍ତି । ତେବେ ଆଜିଯାଏଁ କୃଷ୍ଣଚନ୍ଦ୍ରଙ୍କ କୌଣସି ଖୋଜଖୋବର ମିଳିନଥିବା ବେଳେ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ତେବେ ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।