ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଭରସା କେନ୍ଦ୍ରରେ ରହୁଥିବା ଜଣେ ଅସହାୟ ଅନ୍ତେବାସୀ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ଘଟିଥିଲା । ଏ ଦୁଃଖଦ ଖବର ପାଇ ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳର ସଭାପତି ରଣଜିତ ପଧାନ ବୃଦ୍ଧାଶ୍ରମକୁ ଆସି ଉକ୍ତ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ବୃଦ୍ଧାଶ୍ରମ ମୁଖ୍ୟ ପରିଚାଳକ ଗଣେଶ ଚନ୍ଦ୍ର ବଳିୟାରସିଂଙ୍କୁ ଅନୁମତି ମାଗିଥିଲେ । ତାଙ୍କର ଅନୁମତି ପରେ ସଭାପତି ଶ୍ରୀ ପଧାନ ତାଙ୍କ ସହଯୋଗୀ ମାନଙ୍କ ସହ ଶୁଖିଲା କାଠ ବ୍ୟବସ୍ଥା କରିଥିଲେ । ହିନ୍ଦୁ ରୀତିନୀତି ଅନୁସାରେ ନିକଟରେ ଥିବା ମହାନଦୀ କୂଳକୁ ନେଇ ବୃଦ୍ଧାଙ୍କ ଶବ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳର ସଭାପତି ଶ୍ରୀ ପଧାନଙ୍କ ସହିତ ଆଲୋକ ବରିହା, ସୁରଜ ପଧାନ, ରାଜୁ କାଲୋ,ଧନବୀର ଖରସେଲ ଓ ଗୋବିନ୍ଦପୁର ବୃଦ୍ଧାଶ୍ରମର ମୁଖ୍ୟ ପରିଚାଳକ ଗଣେଶ ଚନ୍ଦ୍ର ବଳିୟାରସିଂ, ଫାର୍ମାସିଷ୍ଟ ରଘୁନାଥ ଗୌଡ, କାଉନସିଲର ପ୍ରଶାନ୍ତ ରାଉତ, ସହକର୍ମୀ ସୁନିଲ ଦାସ, ଦେବାଶିଷ ବିଶ୍ଵାଳ,ସୁରସେନ୍ ଦଳେଇ ପ୍ରମୁଖ ଉପସ୍ଥିତ ରହି ଥିଲେ । ସୂଚନା ଥାଉକି ଏହା ପୂର୍ବରୁ ମଧ୍ୟ ଲଖନପୁର ପ୍ରଖଣ୍ଡ ବଜରଙ୍ଗ ଦଳର ସଦସ୍ୟ ମାନେ ଗୋବିନ୍ଦପୁର ବୃଦ୍ଧାଶ୍ରମ ର ଅନେକ ଅସହାୟ ବୃଦ୍ଧ ,ବୃଦ୍ଧା ମାନଙ୍କ ଶବ ସତ୍କାର କରି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିବା ସହ ଧନ୍ୟବାଦ ର ପାତ୍ର ହୋଇଛନ୍ତି ।