Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସ୍କୃତି , ପରମ୍ପରା ଓ ମାଟି ମା ‘ର ପର୍ବ ନୂଆଁଖାଇ

ବୀରମହାରାଜପୁର : ସଂସ୍କୃତି,ପରମ୍ପରା ଓ ମାଟି ମା ‘ ର ପର୍ବ ହେଉଛି ନୂଆଁଖାଇ। ଆମକୁ ଅନ୍ନ ଯୋଗାଉଥିବା ମାଟି ମା ‘ ଓ ନିଜର ଇଷ୍ଟଦେବୀ ଙ୍କୁ ବର୍ଷର ଭଲ ଫସଲ ହୋଇଥିବା ନେଇ ଧନ୍ୟବାଦ ଅର୍ପଣ ର ପର୍ବ। ସମସ୍ତେ ବର୍ଷକ ର ଦୁଃଖ କଷ୍ଟ , ରାଗ ଋଷା ଭୁଲି ନୂଆଁଖାଇ ପର୍ବ ରେ ସାମିଲ ହୋଇଥାନ୍ତି । ତେଣୁ ଏହି ମହାନ ପର୍ବକୁ ଭାତୃଭାବ ଓ ଏକତା ର ପର୍ବ ବୋଲି କୁହାଯାଏ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ନ୍ୟୁ ଷ୍ଟାର କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥିମାନେ ଏହି ମତ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନ ର ସଭାପତି ଗୌରାଙ୍ଗ ଭରସାଗର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ନାଟ୍ୟକାର ନାରାୟଣ ଦେହୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବହଳପଦର ପଞ୍ଚାୟତ ର ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ମୁଖ୍ୟ ବକ୍ତା ଏବଂ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ନୂଆଁଖାଇ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ମଦନ ସୁନ୍ଦର ଭୋଇ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ଥାନୀୟ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଭା ପରେ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ରସରକେଲି , ଡାଲଖାଇ ସମେତ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ କୁନିକୁନି ନୃତ୍ୟଶିଳ୍ପୀମାନେ । ସ୍ଥାନୀୟ ଭୀମଭୋଇ କଳା ପରିଷଦ ର ଲୋକନୃତ୍ୟ ରେ ମଞ୍ଚ ଦୁଲୁକି ଉଠିଥିଲା । ବୀରମହାରାଜପୁର ସମେତ ରେଢାଖୋଲ ଏବଂ ଉଲୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ । ଶତାଧିକ ଦର୍ଶକ , ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ହୃଷିକେଶ ଭରସାଗର , ବ୍ରଜନାଥ ଭରସାଗର , ସୁନାର୍ତ୍ତନ ନିଆଲ , ମଧୁ ଭରାସାଗର , ସୁଶାନ୍ତ , ରାକେଶ , ତ୍ରିଲୋଚନ ଭରାସାଗ , ଅନନ୍ତ ଭରାସାଗର ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ