ଝାରସୁଗୁଡା ୨୮/୯ (ଓଡିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ସ୍ଥିତ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଯାହା ଫଳରେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସୁବିଧାରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି । ଉକ୍ତ ବିଦ୍ୟାଳୟରେ କେବଳ କଳା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଆ ଯାଉଥିଲା । ଏଠାରେ ବିଜ୍ଞାନ ପାଠ୍ୟକ୍ରମ ନିମନ୍ତେ ସ୍ୱୀକୃତି ପ୍ରଦାନ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଅଞ୍ଚଳବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହୋଇଛି । ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ୨୦୨୩/୨୪ ଶିକ୍ଷାବର୍ଷ ନିମନ୍ତେ ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ଖୋଲିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ ସା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅବିଭାବକ, ଅବିଭାବିକା ଏବଂ ଅଞ୍ଚଳବାସୀ ରାଜ୍ୟ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି ।