ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଝାରସୁଗୁଡା ୨୮/୯ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ସ୍ଥିତ ଉଦେ ବେହେରା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କୁ ବୁଧବାର ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଖୁସିରାମ ଭୋଇ ଅଧ୍ୟକ୍ଷତା କରିଥିଲେ । ପ୍ରଧାନ ଶିକ୍ଷକ ବିରଞ୍ଚି ଭୋଇ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ମାନପତ୍ର ପଠନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ବଳରାମ ଭୋଇ, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ଭାବଗ୍ରାହୀ ସାହୁ ଏବଂ ସ୍ଥାନୀୟ ସରପଞ୍ଚ ତନୟା ଚାନ୍ଦ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଖମାରୀ, ସେବକରାମ ଭୋଇ ଓ ଜଗଦୀଶ ପ୍ରସାଦ ମିଶ୍ର, ଲଖନପୁର ବ୍ଲକ ସାଂସଦ ପ୍ରତିନିଧି ସୁଦାମ ପଧାନ, ଫକୀର ସାହୁ, ଅକ୍ଷୟ ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କର୍ମଠ,ସରଳ, ଅମାଇକ, ଛାତ୍ରବତ୍ସଳ ଓ ପରୋପକାରୀ ଗୁଣ ସମ୍ପର୍କରେ ଭୂରୀୟସି ପ୍ରଶଂସା କରିଥିଲେ । ପରିଶେଷରେ ନିମନ୍ତ୍ରୀତ ଅତିଥି ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ବୃନ୍ଦ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିବା ସହ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ । ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ ତ୍ୟାଗ ପୂତ ଜୀବନୀ ଓ ଛାତ୍ର ବତ୍ସଳ ଗୁଣର ସ୍ମୃତି ଚାରଣ କରିଥିଲେ । ଶେଷରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ସୁରେଶ କୁମାର ନନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ ।