Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତରେ ଉଜୁଡିଗଲା ତିନୋଟି ପରିବାର

ଧର୍ମଗଡ଼, ତା ୨୭/୯(ନି.ପ୍ର)- କ୍ଷଣିକ ମଧ୍ୟରେ ନିଶ୍ଚଳ ହୋଇଗଲା ତିନୋଟି ଶରୀର। ଉଜୁଡିଗଲା ତିନୋଟି ପରିବାର। କିଏ ମାଁକୁ ହରେଇଲା ତ କିଏ ଝିଅକୁ ଆଉ କିଏ ସ୍ତ୍ରୀକୁ । ସେମାନଙ୍କ ଅବର୍ତମାନରେ ଖାଁ ଖାଁ ଲାଗୁଛି ଘର। କେଜାଣି କେତେ ଦିନ ଲାଗିବ ସ୍ଵାଭାବିକ ହେବାକୁ। ଶବ ବ୍ୟବଚ୍ଛେଦ ପରେ ବୁଧବାର ଗାଁ କୁ ମୃତ ଦେହ ପହଞ୍ଚି ଥିଲା । ମୃତ ଦେହ ଦେଖି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ। ନିୟତିର ନିୟମ ମାନିବାକୁ ତ ହେବ। କୋକେଇ ସଜଡ଼ା ହେଲା । ଗାଁ ମଶାଣିକୁ ଶବ ଗଲା । ତିନି ଜଣଙ୍କ ପାଇଁ ସଜା ହୋଇଥିଲା ତିନୋଟି ଜୁଇ । ଏକକାଳୀନ ତିନୋଟି ଜୁଇ ଜଳୁଥିଲା। ଉପସ୍ଥିତ ପରିବାର ଆତ୍ମୀୟ ସ୍ଵଜନ ସମସ୍ତେ ବାକରୁଦ୍ଧ। ଯିଏ ଘଟଣା ସମ୍ପର୍କରେ ଶୁଣୁଛି କେବଳ “ଆହା “ଛଡା ଆଉ କିଛି ଅଧିକ କହିପାରୁ ନାହିଁ। ଆଖିରୁ ଲୁହ ଶୁଖି ଯାଇଛି। ପାଟିରୁ କଥା ମରି ଯାଉଛି । ମନେ ମନେ ସମସ୍ତେ ପ୍ରଶ୍ନ କରୁଛନ୍ତି ନିୟତି ବେଳେବେଳେ ଏମିତି ନିଷ୍ଠୁର ହୁଏ କାହିଁକି? ମଙ୍ଗଳବାର ଦିନ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଗୋଟିଏ ପରିବାରର ତିନି ଜଣଙ୍କ ଶବ ଯେତେବେଳେ ଚିତାମୁଣ୍ଡା ଗାଁ କୁ ପହଞ୍ଚିଥିବା ଏଭଳି ଏକ ଦୁଃଖଦ ଅନୁଭୂତି ହୋଇଥିଲା। ସଂଧ୍ୟା ହେବାରୁ ଗତକାଲି ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ବୁଧବାର ଶବ ବ୍ୟବଚ୍ଛେଦ ପରେ ଦିନ ୧୨ଟା ବେଳେ ଚିତାମୁଣ୍ଡା ଠାରେ ଶବ ସତ୍କାର କରାଯାଇଥିଲା। ରୂପେଙ୍କ ମୃତ୍ୟୁରେ ସ୍ଵାମୀ ଭାସ୍କର ବେସାହାରା ହୋଇଥିବାବେଳେ ଏକମାତ୍ର ପୁଅ ଥବିର ମୁଣ୍ଡ ଉପରୁ ମାଁ ର ମମତା ଉଠିଯାଇଛି। ଅଷ୍ଟମ ଶ୍ରେଣୀ ପଢୁଥିବା ଏହି ନିଷ୍ପାପ ବାଳକ ମାତୃହରା ହୋଇଛି। ଲତା , ସୁକାନ୍ତି ,ଲିପି ତିନି ଭଉଣୀ । କୁଲି ମଜୁରୀ କରି ହସଖୁସିରେ ଚଳିଯାଉଥିଲା ପରିବାର। ତିନି ଭଉଣୀ ମଧ୍ୟରେ ଲତା ସବୁ ଠୁଁ ବଡ଼ ଥିଲା । ବଡ଼ ଭଉଣୀକୁ ହରେଇ ଏବେ ନିଃସଙ୍ଗ ସୁକାନ୍ତି ଓ ଲିପି । ମୃତ ଗଏନ୍ତିଙ୍କ ପରିବାରରେ ଶୋକର‌ ଛାୟା । ମୃତ ଗଏନ୍ତିଙ୍କ ଦୁଇ ପୁଅ ମଳୟ ଓ ଲଖିଧର ଏବଂ ଏକମାତ୍ର ଝିଅ ଦ୍ରୌପଦୀ। ଅବଶ୍ୟ ସମସ୍ତେ ବିବାହିତ। ତଥାପି ମାଁର ପଣତ ଛାୟା ଆଉ ସେମାନଙ୍କୁ ମିଳିବନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ