ବୀରମହାରାଜପୁର ରେ ଗ୍ରାମୀଣ ଡାକ ସେବକ ଙ୍କ ଦିନିକିଆ ଧର୍ମଘଟ

ବୀରମହାରାଜପୁର : ୧୨ ଦଫା ଦାବି ନେଇ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଗ୍ରାମୀଣ ଡାକ ସେବକଙ୍କ ପକ୍ଷରୁ ଦିନିକିଆ ଧର୍ମଘଟ କରାଯାଇଛି । ଧର୍ମଘଟ ଫଳରେ ବୀରମହାରାଜପୁର ଅଞ୍ଚଳରେ ଡାକ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ପ୍ରତ୍ୟେକ ଉପଡାକଘରେ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇ ଡାକ ସେବକଙ୍କ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ । ନେସନାଲ ୟୁନିଅନ ଅଫ ଗ୍ରାମୀଣ ଡାକ ସେବକ (ଏନୟୁଜିଡିଏସ) ବଲାଙ୍ଗୀର ଡାକ ମଣ୍ଡଳର ସମ୍ପାଦକ ଲଳିତ କରଙ୍କ ନେତୃତ୍ବରେ ବୀରମହାରାଜପୁର , ଉଲୁଣ୍ଡା ଓ ସୋନପୁର ଆଦି ଡାକ ଘରେ ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ପାଳନ କରାଯାଇଥିଲା । ବୀରମହାରାଜପୁର ଠାରେ ଅନୁଷ୍ଠିତ ଆନ୍ଦୋଳନରେ ୧୮ଟି ଶାଖା ଡାକ ଘରେ କର୍ମଚାରୀ ଯୋଗ ଦେଇଥିଲେ । ଡାକ କର୍ମଚାରୀଙ୍କ ପକ୍ଷରୁ ୩-ଏ ନିୟମ ଉଚ୍ଛେଦ , ସିଭିଲ ସର୍ଭେଣ୍ଟ ଷ୍ଟାଟସ୍ , ଦୈନିକ ଆଠ ଘଣ୍ଟା ଡ୍ୟୁଟି , ୫ ଲକ୍ଷ ଗ୍ରାଚୁଟି ପ୍ରଦାନ , ୫ ଲକ୍ଷ ଗ୍ରୁପ୍ ବୀମା , ମେଡିକାଲ୍ ଆଲାଏନ୍ସ , ସମାନ କାମ ପାଇଁ ସମ୍ମାନ ଦରମା ଆଦି ଦାବି ଉପସ୍ଥାପନ କରାଯାଇଛି। ଏହି ଧର୍ମଘଟରେ ବସନ୍ତ ଖୁରା , ମନୋଜ ଦେହୁରୀ , ପ୍ରେମାନନ୍ଦ ଖେତି , ଜୟ ପ୍ରକାଶ ସାହୁ , ଗୌର ନାଏକ , ମନୋଜ ଭୋଇଙ୍କ ସମେତ ୧୮ଟି ଶାଖା ଡାକଘର କର୍ମଚାରୀ ଯୋଗଦାନ କରିଥିଲେ l