Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ ବର୍ଷ ପରେ ମଧ୍ୟ ଗୋପାଳପୁର ପ୍ଲାନୋଟୋରିୟମ କାମ ସରୁନି।ନିର୍ମାଣକାରୀ ସଂସ୍ଥା ଇଡିକୋ ପକ୍ଷରୁ ଅତିରିକ୍ତ ଦେଢ଼ କୋଟି ପ୍ରଦାନ ନିମନ୍ତେ ଅନୁରୋଧ

ଗୋପାଳପୁର,୦୪/୧୧ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୭ରେ ଓଡ଼ିଶାର ତୃତୀୟ ଗୋପାଳପୁର ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ। ତେବେ ଏହା ମଧ୍ୟରେ ଘୋଷଣା ର ୧୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାମ ଶେଷ ହୋଇନଥିବା ଦେଖିବାକୁ ମିଳିଛି। ଗୋପାଳପୁର ସନ୍ନିକଟ ବିକ୍ରମ ପୁର ଠାରେ ୨୦୦୭ ମସିହାରେ ୧୦ ଏକର ଜମିରେ ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ସ୍ଥିର କରାଯିବା ସହ ଏଥି ନିମନ୍ତେ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏବଂ ଯଥାଶୀଘ୍ର ଏହାର କାମ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା। କିନ୍ତୁ ପାଣ୍ଠି ଅଭାବରୁ ଏହାର ନିର୍ମାଣ କାମ ସରି ପାରୁନଥିବା ଗତ ଅକ୍ଟୋବର ୨୭ ତାରିଖରେ ଏହାର ନିର୍ମାଣ ଦାୟିତ୍ଵ ରେ ରହିଥିବା ଇଡକୋ କର୍ତ୍ତୃପକ୍ଷ ପକ୍ଷରୁ ଭୁବନେଶ୍ଵର ସ୍ଥିତ ମୁଖ୍ୟ ପରିଚାଳକ ଙ୍କୁ ଦେଢ଼ କୋଟି ଟଂକା ପ୍ରଦାନ ନିମନ୍ତେ ଚିଠି କରିଥିବା ଜଣାପଡିଛି। ଏଣୁ ପାଣ୍ଠି ନଥିବାରୁ କାମ ଆଗେଇ ପାରୁ ନଥିବା ଜଣାପଡ଼ିଛି । ଓଡ଼ିଶାରେ ପ୍ରଥମ ପ୍ଲାନୋଟୋରିୟମ ୧୯୮୦ ମସିହାରେ ଭୁବନେଶ୍ୱରରେ ସ୍ଥାପିତ ହୋଇଥିବା ବେଳେ ୨୦୧୭ରେ ସମ୍ବଲପୁରରେ କାର୍ଯ୍ୟକ୍ଷମ ହୋଇଥିଲା। ଗତ ୨୦୧୨ ଜୁନ ୧୬ ତାରିଖରେ ଇଡକୋ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏସ ମନୋରମା କନଷ୍ଟ୍ରାକସନ ଠିକା ସଂସ୍ଥା ସହ ଚୁକ୍ତିନାମା ସ୍ବାକ୍ଷରିତ ହେବା ସହ ୨୦୨୨, ଜୁନ ୧୫ ସୁଦ୍ଧା ନିର୍ମାଣ କାମ ସାରିବାକୁ ନିର୍ଦେଶ ରହିଥିଲା। କିନ୍ତୁ ଏହା ମଧ୍ୟରେ ଅତିରିକ୍ତ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏବେ ଗତ ମେ ୬ ତାରିଖରେ ଇଡକୋ ବ୍ରହ୍ମପୁର ର ଡିଭିଜିନାଲ ମୁଖ୍ୟ ଇଂ ସ୍ମରଣିକା ପାଣିଗ୍ରାହୀ ଙ୍କ ପକ୍ଷରୁ ଚିଠି ନଂ ୬୪୩,ତା ୦୬/୦୫/୨୩ ପ୍ରକାରେ ଠିକା ସଂସ୍ଥା କେବଳ ୩୦ ଶତକଡା ନିର୍ମାଣ କାମ ସାରିଥିବା ଉଲ୍ଲେଖ ରହିବା ସହ ଅଗଷ୍ଟ ମାସ ସୁଦ୍ଧା ନିର୍ମାଣ କାମ ସାରିବାକୁ ତାଗିଦ କରାଯାଇଥିବା ଉଲ୍ଲେଖ ରହିଥିଲା ଏବଂ ସେପ୍ଟେମ୍ବର ମାସରେ ଏହାର ଉଦଘାଟନ କରାଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା। କିନ୍ତୁ ଉଦଘାଟନ ନିମନ୍ତେ ସ୍ଥିର କରାଯାଇଥିବା ସମୟ ର ପୁଣି ଏକ ମାସ ବିତି ଯାଇଥିବା ବେଳେ ଏହାର ନିର୍ମାଣ କାମ ସରି ପାରିନାହିଁ । ଗତ ଅକ୍ଟୋବର ୨୭ ତାରିଖରେ ଚିଠି ନଂ ୭୫୬ ପ୍ରକାରେ ଡିଭିଜିନାଲ ମୁଖ୍ୟ ଙ୍କ ପକ୍ଷରୁ ମୁଖ୍ୟ ପରିଚାଳକ ଙ୍କୁ ଚିଠି ମାଧ୍ୟମରେ ଦେଢ଼ କୋଟି ଅନୁଦାନ ପ୍ରଦାନ ନିମନ୍ତେ ଚିଠି କରାଯାଇଛି, ସୂଚନାଯୋଗ୍ୟ ଯେ ଗତ ଜୁନ ମାସ ୧୯ ତାରିଖରେ ଚିଠି ନଂ ୭୫୫ ରେ ଅନୁରୂପ ଭାବେ ଅନୁଦାନ ପ୍ରଦାନ ନିମନ୍ତେ ଚିଠି କରାଯାଇଛି।ସୂଚନାଯୋଗ୍ୟ ଯେ ଗତ ୨୦୧୯ ଫେବୃଆରୀ ୪ରେ ପ୍ଲାନୋଟୋରିୟମ ପରିସରରେ ୬.୫୦ କୋଟି ବ୍ୟୟରେ ବିଜ୍ଞାନ ପାର୍କ ନିର୍ମାଣ ନିମନ୍ତେ ମଧ୍ୟ ପାଣ୍ଠି ବରାଦ କରାଯାଇଥିଲା। କିନ୍ତୁ ଆଜି ଯାଏଁ କୋଠା ନିର୍ମାଣ କାମ କରିନଥିବାରୁ ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନ ହେଉଛି।