Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଧାନବିଲରୁ ମଣିଷ ଖପୁରୀ ଓ ହାଡ଼କଙ୍କାଳ ଉଦ୍ଧାର

ଝାରସୁଗୁଡା ୫/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ପଞ୍ଚାୟତ ଅନ୍ତର୍ଗତ ସେମେଲିଆ ଗାଁ ଅନତି ଦୂରରେ ଥିବା ଏକ ଧାନବିଲରୁ ମଣିଷ ଖପୁରୀ ଓ ହାଡ଼ କଙ୍କାଲକୁ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି । ଝାରସୁଗୁଡା ଜିଲ୍ଲା ସାଇଣ୍ଟିଫିକ ଟିମ ଏବଂ ବରଗଡ଼ ଜିଲ୍ଲାରୁ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ସେମେଲିଆ ଗ୍ରାମର ରୁକ୍ମଣ ସା ଓ ମକରଧ୍ୱଜ ସା ଅମଳ ଧାନ କାଟିବା ପାଇଁ ତାଙ୍କ ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କ ଧାନ ବିଲରେ ମଣିଷ ଖପୁରୀ ଓ ହାଡ଼ କଙ୍କାଲ ସବୁ ଏଣେତେଣେ ପଡ଼ିଛି । ଏହା ଦେଖି ଉଭୟେ ଗ୍ରାମବାସୀଙ୍କୁ ଜଣାଇବା ସହ ରେଙ୍ଗାଲି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ରେଙ୍ଗାଲି ଥାନାଧିକାରୀ କମଳ ଲୋଚନ ବେହେରା, କଣ୍ଡେଇକେଲା ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର କିଷାନଙ୍କ ସହ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ । କିନ୍ତୁ ସେମାନଙ୍କ ଠାରୁ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପି ପରମାର ସ୍ମିଥ ଙ୍କୁ ଜଣାଇବା ସହ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନଙ୍କୁ ମଧ୍ୟ ଅବଗତ କରାଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସ୍ମିଥଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ.ସି.ବାରିକ,ବ୍ରଜରାଜନଗର ଏସଡିପିଓ ଶ୍ରୀ ପଧାନ, ବେଳପାହାଡ଼ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ଲଖନପୁର ଥାନାଧିକାରୀ ସଂଧ୍ୟାରାଣୀ ଜେନା,ଜିଲ୍ଲା ସାଇଣ୍ଟିଫିକ ଟିମ, ବରଗଡ଼ ଜିଲ୍ଲାର ଡଗ ସ୍ୱାର୍ଡ ସେଠାରେ ପହଞ୍ଚି ବିଭିନ୍ନ ଦିଗରେ ତଦନ୍ତ କରିଥିଲେ । ଏହି ସମୟରେ ଯେଉଁ ଧାନ ବିଲରେ ସେ ପିନ୍ଧିଥିବା ହାପପ୍ୟାଣ୍ଟ, ଅନ୍ତଃବସ୍ତ୍ର, ଖପୁରୀ ଓ ହାଡ଼ କଙ୍କାଲ ସବୁ ଏଣେତେଣେ ପଡିଥିବା ସହ ସେହି ଧାନବିଲ ହିଡରେ ଥିବା ଏକ ଖଏସ ଗଛ ଡାଳରେ ଏକ ସବୁଜ ରଙ୍ଗର କପଡ଼ା ମଧ୍ୟ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ ଏବଂ କୌଣସି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ପୁଲିସ ଟିମ ସନ୍ଦେହ କରିଥିଲେ । ତଦନ୍ତ ବେଳେ ସେମେଲିଆ ଗ୍ରାମର ଭୁତପୂର୍ବ ଗ୍ରାମରକ୍ଷୀ ସ୍ବର୍ଗତ ସ୍ୱପ୍ନା ପାପ ଙ୍କ ସାନପୁଅ ପୁରୁଷୋତ୍ତମ (୨୭) ଗତ ସେପ୍ଟେମ୍ବର ୭ ତାରିଖ ରାତିରୁ କୁଆଡ଼େ ଚାଲି ଯାଇଥିବା ପୁଲିସ ଜାଣିବାକୁ ପାଇଥିଲେ । ଏହା ପରେ ନିଖୋଜ ପୁରୁଷୋତ୍ତମଙ୍କ ପରିବାର ଲୋକଙ୍କୁ ଡାକି ପଚରା ଉଚୁରା କରିବା ସମୟରେ ପୁଲିସର ଅନେକ ତଥ୍ୟ ହସ୍ତଗତ ହୋଇଥିଲା । ଏହି ଆଧାରରେ ବ୍ୟକ୍ତିଙ୍କ ବସ୍ତ୍ରକୁ ସନ୍ଧାନୀ କୁକୁର ଆଘ୍ରାଣ କରିବା ପରେ ସିଧା ସଳଖ ପୁରୁଷୋତ୍ତମଙ୍କ ଶୋଇବା ଘରକୁ ଯାଇଥିଲା । ଏହା ପରେ ମୃତ ବ୍ୟକ୍ତି ଜଣକ ପୁରୁଷୋତ୍ତମ ବୋଲି ଜାଣିପାରି ପରିବାର ଲୋକଙ୍କୁ ଡାକି ପଚରା ଉଚୁରା କରିଥିଲେ ଏବଂ ତାଙ୍କ ବଡଭାଇ ଗୋବର୍ଦ୍ଧନ ଓ ଜଣେ ସାଙ୍ଗ ସେ ସ୍ଥାନରେ ପଡିଥିବା ହାପପ୍ୟାଣ୍ଟ, ଅନ୍ତଃ ବସ୍ତ୍ର ଓ ପ୍ୟାଣ୍ଟ ପକେଟରୁ ମିଳିଥିବା ନୀଳ ରଙ୍ଗର ଭିଭୋ କମ୍ପାନୀର ଏଣ୍ଡ୍ରୋଏଡ ମୋବାଇଲ ସେଟକୁ ପୁରୁଷୋତ୍ତମଙ୍କ ବୋଲି ଚିହ୍ନଟ କରିଥିଲେ । କିନ୍ତୁ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଧାନବିଲରେ ପଡିଥିବା ସମସ୍ତ ହାଡ଼ କଙ୍କାଲ ,ଖପୁରୀ ଓ ମୋବାଇଲ ସେଟ ସବୁକୁ ସଂଗ୍ରହ କରି ପ୍ରକୃତ ତଥ୍ୟ ଜାଣିବା ପାଇଁ ପରୀକ୍ଷାଗାର କୁ ପଠାଯିବ ବୋଲି ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସୂଚନା ଥାଉକି ପୁରୁଷୋତ୍ତମଙ୍କ ନିଖୋଜ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ ରେଙ୍ଗାଲି ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନାଧିକାରୀ ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

More Stories