ବଡଖମାର ଆର ଏମ୍ ସି ନିକଟରୁ ଦେଢ ମାସର ଶିଶୁ ପୁତ୍ର ଉଦ୍ଧାର

ବୀରମହାରାଜପୁର : ଅଲୋଡ଼ା ହେଉଛନ୍ତି ଶିଶୁ କନ୍ୟା ଓ ଶିଶୁ ପୁତ୍ର । ଏଇ ଦେଢ଼ ମାସ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ୩ ଗୋଟି ଶିଶୁପୁତ୍ର ଉଦ୍ଧାର ହୋଇଥିବା ଦେଖାଦେଇଛି । କିଛି ଦିନପୂର୍ବରୁ ସୁବଳୟା ଥାନା ଟେଭାପଦର ଗ୍ରାମ ରାସ୍ତାକଡ ରୁ ଓ ଗତ ଅକ୍ଟୋବର ୩୧ ତାରିଖରେ ଉଲୁଣ୍ଡା ବ୍ଲକ ମାଟିଖାଇ ରୁ ଏକ ନବ ଜାତକ ଉଦ୍ଧାର ହୋଇଥିବା ବେଳେ ଶନିବାର ସୁବଳୟା ଥାନା ବଡ଼ଖମାର ଗ୍ରାମ ରାସ୍ତା କଡ଼ରୁ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଦେଖାଦେଇଛି । ଏହା ଏବେ ଏକ ଚିନ୍ତାର କାରଣ ହୋଇଛି । ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡ଼ଖମାର ସ୍ଥିତ ଆର ଏମ ସି ନିକଟ ରାସ୍ତା କଡ ପୋଲ ନିକଟରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିବା ଜଣାଯାଇଛି । ଶିଶୁପୁତ୍ର ଟି ପ୍ରାୟ ଦେଢ଼ ମାସ ର ହେବ ବୋଲି ଜଣା ପଡିଛି । ଶିଶୁଟିକୁ ଉଲୁଣ୍ଡା ବ୍ଲକ ନୂଆଁପାଲି ଗ୍ରାମର ସଞ୍ଜୀବ କୁମାର ପ୍ରଧାନ ଉଦ୍ଧାର କରିଥିଲେ । ଶନିବାର ସକାଳ ପ୍ରାୟ ୧୦.୪୦ ଘଣ୍ଟା ସମୟରେ ଏହି ରାସ୍ତା ଦେଇ ସଞ୍ଜୀବ ମଟର ସାଇକେଲ ରେ ନିଜ ପୁତ୍ର କୁ ଦେଖା କରିବା ପାଇଁ ରେଢ଼ାଖୋଲ କୁ ଯାଉଥିଲେ । ତାଙ୍କ ସାଙ୍ଗରେ ବାଘବାହାଲି ଗ୍ରାମର ଅଶୋକ ସାହୁ ମଧ୍ୟ ଯାଉଥିଲେ । ସୁବଳୟା ଥାନା ଅନ୍ତର୍ଗତ ବଡ଼ଖମାର ସ୍ଥିତ ଆର ଏମ ସି ନିକଟ ରାସ୍ତା କଡ ପୋଲ ନିକଟ ରେ ଏକ ଶିଶୁ ପୁତ୍ର କାନ୍ଦୁଥିବାର ସେମାନେ ଶୁଣିବାକୁ ପାଇଥିଲେ । ହେଲେ ସେଠାରେ କେହି ନ ଥିବାରୁ ମଟର ସାଇକେଲ ରୁ ଓହ୍ଲାଇ ଥିଲେ । ଦେଖିଲେ ଏକ ଦେଢ଼ ମାସର ଏକ ଶିଶୁ ପୁତ୍ର କାନ୍ଦୁଥିବାର ଦେଖି ଉଦ୍ଧାର କରିଥିଲେ । ସେଠାରେ କେହି ନଥିବାରୁ ତାକୁ କେହି ଛାଡି ପଳାଇଥିବା ଭାବି ବିରମହରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରିଥିଲେ । ଶିଶୁଟି ସଂପୂର୍ଣ୍ଣ ଭାବରେ ସୁସ୍ଥ ଥିବାବେଳେ କ୍ଷୀର ମଧ୍ୟ ପିଇ ଥିଲା । ବର୍ତ୍ତମାନ ଶିଶୁଟି ର ଓଜନ ୨ କେଜି ୯୦୦ ଗ୍ରାମ ରହିଛି । ପରେ ବୀରମହାରାଜପୁର ଥାନା କୁ ଖବର ଦେଇ ଶିଶୁ କୁ ସୁବର୍ଣ୍ଣପୁର କୁ ସ୍ଥାନାନ୍ତର କରାଯାଇଥିଲା । ସୁବର୍ଣ୍ଣପୁର ଶିଶୁ ମଙ୍ଗଳ ସମିତି କୁ ଖବର ଦେଇ ଶିଶୁର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ରେ ରଖାଯାଇଛି ।