Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନକତୋରା ନୂତନ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ଝାରସୁଗୁଡା ୧୫/୧୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସୀମାନ୍ତ ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ଠାରେ ନବ ନିର୍ମିତ ଆଞ୍ଚଳିକ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇ ଯାଇଛି । କାର୍ତ୍ତିକ କୃଷ୍ଣପକ୍ଷ ଦ୍ଵାଦଶୀ ଶୁକ୍ରବାର ସକାଳ ୧୦ ସମୟରେ ଘଣ୍ଟଶଙ୍ଖ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଯାଇ ଗାଁ ସ୍କୁଲବନ୍ଧ ରୁ ଜଳପୂର୍ଣ୍ଣ କଳସ ଆଣି ବିଧି ପୂର୍ବକ ପୂଜା ସ୍ଥାନରେ ସ୍ଥାପନ କରା ଯାଇଥିଲା । ତ୍ରୟୋଦଶୀ ଶନିବାର ପ୍ରାତଃ ସମୟରେ ଅଧିବାସ ପୂଜା ଆରମ୍ଭ, ପାର୍ଶ୍ଵ ଦେବାଦେବୀ ଆବାହନ,ବ୍ରହ୍ମଅଗ୍ନି ସ୍ଥାପନ,ହୋମ, ଚଣ୍ଡୀପାଠ ଆରତୀ ଓ ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ଚତୁର୍ଦ୍ଦଶୀ ରବିବାର ପ୍ରାତଃ ପୂଜା, ଚଣ୍ଡୀପାଠ, ସନ୍ଧ୍ୟା ଆରତୀ ଏବଂ ମଧ୍ୟ ରାତ୍ରରେ ଶ୍ୟାମାକାଳୀ ପୂଜା, ଚଣ୍ଡୀପାଠ, ହୋମ ସହ ଘୃତାହୁତି ଦିଆ ଯାଇଥିଲା । ସେହିପରି ଅନ୍ତିମ ଦିବସ ଅର୍ଥାତ କାର୍ତ୍ତିକ କୃଷ୍ଣପକ୍ଷ ଅମାବାସ୍ୟା ସୋମବାର ଦିନ ପ୍ରାତଃ ପୂଜା, ମନ୍ଦିରରେ ଧ୍ୱଜାରୋହନ, ଚଣ୍ଡୀପାଠ, ହୋମ, ଘୃତାହୁତି, ମଙ୍ଗଳ ଆଳତୀ ଓ ପୂର୍ଣ୍ଣାହୁତି ସହ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ମାଁ କାଳୀଙ୍କ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସଞ୍ଜୟ ମେହେର ଓ ପତ୍ନୀ ମମତା ମେହେର ମୁଖ୍ୟ କର୍ତ୍ତା ଏବଂ ଅଭୟ ଭୋଇ ଓ ପତ୍ନୀ ନୈତୀ, ରମେଶ ମେହେର ଓ ପତ୍ନୀ ସିତା ,ଲଳିତ ନାରାୟଣ ମେହେର ଓ ପତ୍ନୀ ହେମାଲତା ଏବଂ ନନ୍ଦଲାଲ ସେଟ ଓ ପତ୍ନୀ କୁନ୍ତୀ ପାର୍ଶ୍ଵ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପଣ୍ଡିତ ନରେଶ ମିଶ୍ରା,ପଣ୍ଡିତ ନାରାୟଣ ମିଶ୍ରା,ସୁନୀଲ ଦାସ (ଲାରା), ପ୍ରଦୀପ ମିଶ୍ରା, ସୁନୀଲ ଦାସ (ଦୟାଡେରା) ଏବଂ ସ୍ଥାନୀୟ କାଳୀ ମନ୍ଦିର ପୂଜକ ଚୁଲାମଣି ପାଣିଗ୍ରାହୀ (ପୁଝାରି) ପୂଜାର୍ଚ୍ଚନା, ହୋମଯଜ୍ଞ,ଚଣ୍ଡୀପାଠ ଆଦି କାର୍ଯ୍ୟ ସମ୍ପାଦନା କରିଥିଲେ । ପଡ଼ୋଶୀ ଛତିଶଗଡ଼ ଏବଂ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରା ଯାଇଥିଲା । କନକତୋରା ମାଁ ମହାକାଳୀ ସେବା ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତି, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ ଏବଂ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ରଘୁନନ୍ଦନ ପଣ୍ଡା, ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର ପ୍ରମୂଖ ଆସି ମାଁ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ