Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରି ପଡ଼ିଲା ଜାତୀୟ ନେତା ହେବାର ସ୍ଵପ୍ନ ! ଭାରତ ଜିତିବାକୁ ବାହାରିଥିଲେ, ଆଜି ନିଜ ଘରେ ଧରାଶାୟୀ

ହାଇଦ୍ରାବାଦ: ଚାରି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ସେଥିମଧ୍ୟରୁ ତେଲେଙ୍ଗାନା ରାଜ୍ୟ ଗୋଟିଏ। କେସିଆର ୨୦୧୮ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଲୋକସଭା ନିର୍ବାଚନ ପାଇଁ ତୃତୀୟ ମୋର୍ଚ୍ଚାର କଥା କହିଥିଲେ। ସେ ୨୦୨୪ ନିର୍ବାଚନ ପୂର୍ବରୁ ମଧ୍ୟ ନିଜର ଏହି ଫର୍ମୁଲା ଅନୁସାରେ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆରେ ସାମିଲ୍ ହୋଇ ନ ଥିଲେ। ୨୦୨୨ ଅକ୍ଟୋବରରେ କେସିଆର ନିଜର ପାର୍ଟି ଟିଆରଏସ(ତେଲେଙ୍ଗାନା ରାଷ୍ଟ୍ର ସମିତି)କୁ ଜାତୀୟସ୍ତରକୁ ନେବା ପାଇଁ ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତି କରିଥିଲେ।

କେବଳ ଏତିକି ନୁହେଁ ତେଲେଙ୍ଗାନା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ କଂଗ୍ରେସ-ବିଜେପି ଦୁର୍ନୀତି ପ୍ରସଙ୍ଗରେ କେସିଆରଙ୍କ ବିରୋଧରେ ମାହୋଲ ସୃଷ୍ଟି କରିଥିଲେ। ସେହି ସମୟରେ କେସିଆର ତେଲେଙ୍ଗାନା ବାହାରେ ମହାରାଷ୍ଟ୍ରରେ ୭୦୦-୭୦୦ କାରର କାରକେଡ୍ ସହ ପାର୍ଟିର ପ୍ରଚାରରେ ଜୁଟିଥିଲେ। ଏହି ରାଲିରେ ତାଙ୍କ ସହିତ ପୁରା ତେଲେଙ୍ଗାନା କ୍ୟାବିନେଟ୍ ଯାଉଥିଲା। ଏହା ସହିତ କେସିଆର ଅନେକ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟୁଥିଲେ। ତେବେ ଯେଉଁ ନେତା ଜାତୀୟସ୍ତରର ବଡ଼ ଚେହେରା ହେବାକୁ ବାହାରିଥିଲେ ସେ ଆଜି ନିଜ ଘରେ ଧରାଶାୟୀ ହୋଇଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି ଜାରି ରହିଛି। ଏଥିରେ କଂଗ୍ରେସ ବାଜିମାତ୍ କରୁଥିବା ବେଳେ ବିଆରଏସ ମାଟି କାମୁଡୁଛି। କେବଳ ଏତିକି ନୁହେଁ ଲୋକସଭା ନିର୍ବାଚନ ପୂର୍ବରୁ ବିଆରଏସକୁ ଶକ୍ତ ଧକ୍କା ଲାଗିଛି।

ରାଜନୈତିକ ସମୀକ୍ଷକଙ୍କ ମତରେ କେସିଆର ନିଜକୁ ରାଷ୍ଟ୍ରୀୟ ନେତା ଭାବେ ସ୍ଥାପିତ କରିବାକୁ ଚାହୁଁଥିଲେ। କେବଳ ଏତିକି ନୁହେଁ ତେଲେଙ୍ଗାନା ବିଜୟରେ ଆଶ୍ଵସ୍ତ କେସିଆର ରାଜ୍ୟ ରାଜନୀତିରେ ନିଜ ପୁଅ ଟି ରାମା ରାଓଙ୍କୁ ମଧ୍ୟ ସ୍ଥାପିତ କରିବାକୁ ଚାହୁଁଥିଲେ। ରାମା ରାଓ ତାଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ମାତ୍ର ଚଳିତ ବିଧାନସଭା ନିର୍ବାଚନରେ କେସିଆରଙ୍କ ଏହି ବାଜି ଓଲଟା ପଡିଛି। ଗୋଟିଏ ପଟେ ତେଲେଙ୍ଗାନା ହାତରୁ ଖସିଥିବା ବେଳେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ନିଜ ସହିତ ଆଣିବାର ଉଦ୍ୟମ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ଏହି ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସକୁ ବଡ଼ ସଫଳତା ମିଳିବାକୁ ଯାଉଛି। କର୍ଣ୍ଣାଟକ ପରେ ଦ୍ଵିତୀୟ ରାଜ୍ୟ ଭାବେ କଂଗ୍ରେସ ଏଠାରେ ସରକାର ଗଢୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଦେଖିବାକୁ ମିଳିଛି। ବିଜେପିର ମଧ୍ୟ ଏଠାରେ ଅଭ୍ୟୁଦୟ ହୋଇଛି। ଆଉ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ଵାଧୀନ ବିଆରଏସକୁ ଶକ୍ତ ଧକ୍କା ଲାଗିଛି। କଂଗ୍ରେସ ୬୭ଟି ଆସନରେ ଆଗରେ ରହି ସରକାର ଗଠନ କରିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ବିଆରଏସ ୩୭ଟି ସିଟରେ ଆଗରେ ଥିଲେ ହେଁ ଦଳ ହାତରୁ କ୍ଷମତା ଖସୁଥିବା ଦେଖିବାକୁ ମିଳିଛି। ବିଜେପି ଏଠାରେ ୫ରୁ ୭ ସିଟ୍ ଜିତୁଥିବା ଟ୍ରେଣ୍ଡରୁ ଜଣା ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ