Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଏ ହେବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ? ଶେଷ ହେବ ଅପେକ୍ଷା, ୧୧ରେ ବସିବ ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବ ? ଏହି ପ୍ରଶ୍ନର ଉତ୍ତର ଅଦ୍ୟାବଧି ମିଳି ପାରି ନାହିଁ। ବିଜେପିକୁ ବିଧାନସଭାରେ ପ୍ରଚଣ୍ଡ ବହୁମତ ମିଳିଥିବା ସତ୍ତ୍ଵେ ପାର୍ଟି ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ସ୍ଥିର କରି ପାରି ନାହିଁ। ସଦ୍ୟତମ ଖବର ଅନୁଯାୟୀ, ଡିସେମ୍ବର ୧୧ରେ ଭୋପାଳ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକରେ ମୁଖ୍ୟମନ୍ତ୍ରୀ ନାମରେ ଘୋଷଣା କରାଯିବାର ସମ୍ଭାବନା ରହିଛି।

ବିଜେପି ତିନି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରି ସାରିଛି। ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକଙ୍କ ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି। ମଧ୍ୟପ୍ରଦେଶର ଦାୟିତ୍ଵ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦିଆଯାଇଛି। ଖଟ୍ଟର ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବେଶ ଘନିଷ୍ଠ।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଅଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍, ବରିଷ୍ଠ ବିଜେପି ନେତା କୈଳାଶ ବିଜୟ ବର୍ଗୀୟଙ୍କ ସହିତ ଅନେକ ଚର୍ଚ୍ଚାରେ ରହିଛନ୍ତି। ବିଧାନସଭା ନିର୍ବାଚନରେ ବିଜେପି କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷିତ କରି ନ ଥିଲା। ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାରେ ନିର୍ବାଚନ ଲଢିଥିଲା। ଅନେକ କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲା ଦଳ।

ମଧ୍ୟପ୍ରଦେଶର ବିଧାୟକ ଦଳ ବୈଠକରେ ମନୋହର ଲାଲ ଖଟ୍ଟରଙ୍କ ସହିତ ପାର୍ଟିର ଓବିସି ମୋର୍ଚ୍ଚାର ପ୍ରମୁଖ ଲକ୍ଷ୍ମଣ ଓ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଆଶା ଲକଡ଼ା ଯୋଗ ଦେବେ। ଦୁଇ ତୃତୀୟାଂଶ ବହୁମତ ସହ ସରକାର ଗଠନ କରିବାକୁ ଯାଉଥିବା ମଧ୍ୟପ୍ରଦେଶରେ ବର୍ତ୍ତମାନ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ