Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାରା ୩୭୦ ଉଚ୍ଛେଦ ବୈଧ ଅଟେ, ଭାରତର ସମ୍ବିଧାନରେ ଚାଲିବ ଜାମ୍ମୁ-କାଶ୍ମୀର, SCଙ୍କ ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ଦର୍ଶାଇ ସୋମବାର ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ବିଧାନସଭା ଯଦି ଭଙ୍ଗ ଥିଲା ଏବଂ ରାଷ୍ଟ୍ରପତି ଶାସନ ଲାଗୁଥିଲା ତେବେ କେନ୍ଦ୍ର ସରକାରଙ୍କ ପାଖରେ ଧାରା ୩୭୦ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏହା ମଧ୍ୟ କହିଛନ୍ତି ଏତେ ବର୍ଷ ପରେ ଅନୁଚ୍ଛେଦ ହଟାଇବାର ବୈଧତା ଉପରେ ଆଲୋଚନା କରିବା ଭୁଲ୍ ଅଟେ। ଏହା ଉପରେ ତର୍କ କରିବାର କୌଣସି ଅବକାଶ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି, ଅନୁଚ୍ଛେଦ ୩୭୦କୁ ପ୍ରଭାବହୀନ କରାଯାଇ ନୂତନ ବ୍ୟବସ୍ଥା ଜରିଆରେ ଜାମ୍ମୁ-କାଶ୍ମୀରକୁ ଭାରତ ସହିତ ଯୋଡ଼ିବାର ପ୍ରକ୍ରିୟା ମଜବୁତ ହୋଇଛି। ଧାରା ୩୭୦ ହଟାଇବା ସଂପୂର୍ଣ୍ଣ ବୈଧ୍ୟ ଅଟେ। ସଲିସିଟର ଜେନେରାଲ ଜଣାଇ ଦେଇଛନ୍ତି ଯେମ ଜାମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ପୁନର୍ବାର ମିଳିବ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ରହିବ। ନିର୍ବାଚନ ଆୟୋଗ ନୂତନ ପରିସୀମା ଆଧାରରେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେତେ ଶୀଘ୍ର ସମ୍ଭବ ରାଜ୍ୟ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖନୀୟ ୧୬ ଦିନର ବିତର୍କ ପରେ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ବିଚାରପତି ସଞ୍ଜୟ କିଶନ କୌଲ, ବିଚାରପତି ସଞ୍ଜୀବ ଖନ୍ନା, ବିଆର ଗବଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ୫ ଜଣିଆ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସିଜେଆଇ କହିଛନ୍ତି, ଆମେ ସେହି ସମୟରେ ରାଜ୍ୟରେ ଲାଗୁ ରାଷ୍ଟ୍ରପତି ଶାସନ ଉପରେ ନିଷ୍ପତ୍ତି ଶୁଣାଇ ନାହୁଁ। ସ୍ଥିତି ଅନୁସାରେ ରାଷ୍ଟ୍ରପତି ଶାସନ ଲାଗୁ କରା ଯାଇ ପାରିବ। ଅନୁଚ୍ଛେଦ ୩୫୬ରେ ରାଷ୍ଟ୍ରପତିଙ୍କୁ ସ୍ଵତନ୍ତ୍ର କ୍ଷମତା ଦେଇଛି। ଏହାକୁ ଚ୍ୟାଲେଞ୍ଜ କରାଯାଇ ପାରିବ ନାହିଁ। ତେଣୁ ଧାରା ୩୭୦ ହଟାଇବା ସାମ୍ବିଧାନିକ ଭାବେ ସଂପୂର୍ଣ୍ଣ ବୈଧ୍ୟ ଅଟେ। ଭାରତର ସମ୍ବିଧାନ ଅନୁସାରେ ଜାମ୍ମୁ-କାଶ୍ମୀର ଚାଲିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ