Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୋଟ୍ ଗଣତି ପରେ ଆକ୍ସିକ ବ୍ୟାଙ୍କ୍ ଲକର ଯାଞ୍ଚ, ବିପୁଳ ପରିମାଣରେ ସୁନା ଅଳଙ୍କାର ଠାବ

ବଲାଙ୍ଗିର: ନଗଦରେ ଭର୍ତ୍ତି ୧୭୬ ବ୍ୟାଗ, ନୋଟ୍ ଗଣିବା ପାଇଁ ୪୦ ମେସିନ, ୩ଟି ବ୍ୟାଙ୍କର ୮୦ କର୍ମଚାରୀ, ୨୪ରୁ ଉର୍ଦ୍ଧ୍ଵ ସୁରକ୍ଷାକର୍ମୀ ଓ ପାଞ୍ଚ ଦିନର ସମୟ। କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କ୍ୟାସଲୋକରୁ ଏତେ ପରିମାଣରେ ଟଙ୍କା ମିଳିବା ଇତିହାସ ସୃଷ୍ଟି କରିଛି। ଗୋଟିଏ ଅପରେସନରେ ଆଜି ପର୍ଯ୍ୟନ୍ତ ଏକ ସଙ୍ଗେ ଏତେ ପରିମାଣରେ ଟଙ୍କା ଜବତ ହୋଇ ନ ଥିଲା। ଗତକାଲି ବଲାଙ୍ଗିରର ଏସବିଆଇ ମୁଖ୍ୟ ଶାଖାରେ  ଗଣତି ଶେଷ ହୋଇଛି। ଏଠାରୁ ୩୦୫ କୋଟି ଟଙ୍କା ମିଳିଛି। ଏହା ପରେ ସୋମବାର ଟିଟିଲାଗଡ଼ର ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ସ୍ତ୍ରୀଙ୍କ ଆକ୍ସିସ୍ ବ୍ୟାଙ୍କ୍‌ରେ ଆକାଉଣ୍ଟ ଓ ଲକର ଯାଞ୍ଚ କରିଛନ୍ତି ଆୟକର ଅଧିକାରୀ । ଗୋଟିଏ ଲକରରୁ ବିପୁଳ ପରିମାଣରେ ସୁନା ଅଳଙ୍କାର ଠାବ ହୋଇଛି। ଏଥିରେ ସୁନା ଗହଣା, ଡାଇମଣ୍ଡ, ସୁନା ବିସ୍କୁଟ ସହ କିଛି ଜମିବାଡ଼ି ସଂପର୍କିତ କାଗଜପତ୍ର ମିଳିଥିବା ଜଣା ଯାଇଛି।

ସେପଟେ ମଦ ବ୍ୟବସାୟୀଙ୍କ ଘରେ ଆଇଟିର ରେଡ୍ ପରେ ତତ୍ପର ହୋଇ ଉଠିଛି ଆୟକର ବିଭାଗ। ବଳଦେବ ସାହୁ ଆଣ୍ଡ ସନ୍ସ ମାଲିକାନାରେ ଥିବା ସବୁ ମଦଭାଟିରେ ଯାଞ୍ଚ କରାଯାଇଛି। ମଦ ତିଆରି କାରଖାନା ସମ୍ପର୍କିତ ଦସ୍ତାବିଜର ଖୋଳତାଡ଼ ଆରମ୍ଭ  ହୋଇ ଯାଇଛି। ରାଜ୍ୟ ଅବକାରୀ ନୀତି ପାଳନ ହେଉଛି କି ନାହିଁ ତାର ଯାଞ୍ଚ କରାଯାଉଛି। ରାଜ୍ୟର ଅନ୍ୟ ସବୁ ମଦଭାଟି ଓ କାରଖାନାରେ ବି ଯାଞ୍ଚ ଜାରି ରହିଛି। ଯଦି ମଦ ବ୍ୟବସାୟ ସହ ଜବତ ଟଙ୍କାର ସମ୍ପର୍କ ଥିବ ତେବେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ତିନି ଶାଖାରେ ଟଙ୍କା ଗଣତି ଶେଷ ହୋଇଥିଲା।  ବ୍ୟାଙ୍କ ଅଧିକାରୀ ପାଖାପାଖି ୪୦ରୁ ଅଧିକ ମେସିନ ଓ ୮୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି ଟଙ୍କା ଗଣତି କରିଥିଲେ। ବଲାଙ୍ଗିରରେ ଟଙ୍କା ଗଣି ଗଣି କର୍ମଚାରୀ  ହାଲିଆ ହୋଇ ପଡ଼ିଥିଲେ। ଏପରିକି ମେସିନ ମଧ୍ୟ ମଝିରେ ମଝିରେ ଖରାପ ହୋଇ ପଡ଼ୁଥିଲା। ତିନି ଶାଖାରୁ ପାଖାପାଖି ୩୫୩ କୋଟି ଟଙ୍କା ମିଳିଥିବା ବେଳେ କେବଳ ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରୁ ୩୦୫ କୋଟି ଟଙ୍କା ମିଳିଛି। ଏଠାରେ ୨୫ ମେସିନ ଓ ୫୦ ଜଣ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ