ଜୟପୁର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବାଜିଛି ମୋହର। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଜୟପୁରର ସାଙ୍ଗାନେର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ବ୍ରାହ୍ମଣ କାର୍ଡ ଚଳାଇଛି। ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରାଯାଇଛି। ସେହିପରି ବାସୁଦେବ ଦେବନାନୀଙ୍କୁ ବିଧାନସଭା ବାଚସ୍ପତି ଦାୟିତ୍ଵ ଦିଆଯାଇଛି।
ଭରତପୁର ନିବାସୀ ୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ନାମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରସ୍ତାବ ରଖିଥିଲେ। କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂ, ସହ ପର୍ଯ୍ୟବେକ୍ଷକ ବିନୋଦ ତାଓ୍ଵଡ଼େ ଓ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ନବ ନିର୍ବାଚିତ ବିଧାୟକଙ୍କ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ଉପରେ ନିଷ୍ପତ୍ତି ନିଆଯାଇଛି। ବିଧାୟକ ଦଳ ନେତା ଚୟନ ହେବା ପରେ ଭଜନଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ ଦଳର ବରିଷ୍ଠ ନେତା ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ପରେ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି।
ଦୀୟା କୁମାରୀ: ଦୀୟା କୁମାରୀଙ୍କୁ ବିଜେପି ଉପ ମୁଖ୍ୟମନ୍ତ୍ରୀ କରିଛି। ମହାରାଣୀ ଦୀୟା କୁମାରୀ ନିକଟରେ ରାଜସ୍ଥାନର ରାଜସମନ୍ଦ ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି। ସେ ବିଦ୍ୟାଧର ନଗର ଆସନରୁ ବିଧାନସଭା ନିର୍ବାଚନ ଜିତିଛନ୍ତି। ଜୟପୁରର ପୂର୍ବତନ ମହାରାଜ ଭବାନୀ ସିଂଙ୍କ ଝିଅ ଦୀୟା କୁମାରୀ ପ୍ରାୟ ଏକ ଦଶନ୍ଧି ପୂର୍ବେ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କୁ ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର କୁହାଯାଉଥିଲା।
ଛତିଶଗଡ଼ରେ ଆଦିବାସୀ ଓ ମଧ୍ୟପ୍ରଦେଶରେ ଓବିସି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ବିଜେପି ରାଜସ୍ଥାନରେ ବ୍ରାହ୍ମଣ ନେତାଙ୍କୁ ରାଜ୍ୟ ଦାୟିତ୍ଵ ଦେଇଛି। ଏହିପରି ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ସବୁ ବର୍ଗଙ୍କୁ ନିଜ ପକ୍ଷରେ ଟାଣିବାକୁ ଉଦ୍ୟମ କରିଛି। ଆକଳନ କରାଯାଉଥିଲା ଦଳ ରାଜସ୍ଥାନରେ କୌଣସି ସବର୍ଣ୍ଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବ। ହେଲେ ସବୁ ଆକଳନ ଫେଲ୍ ମାରିଛି।
ଭଜନଲାଲଙ୍କ ଶିକ୍ଷାଗତ ଯାେଗ୍ୟତା
ସାଙ୍ଗାନେର ପରି ସୁରକ୍ଷିତ ଆସନରୁ ଭଜନଲାଲାଙ୍କୁ ପାର୍ଟି ଟିକେଟ୍ ଦେଇଥିଲା। ବର୍ତ୍ତମାନର ବିଧାୟକ ଅଶୋକ ଲାହୋଟୀଙ୍କ ଟିକେଟ୍ କଟାଯାଇ ଭଜନଲାଲ ଶର୍ମାଙ୍କୁ ଦଳ ମଇଦାନରେ ଓହ୍ଲାଇଥିଲା। ସେ ନିର୍ବାଚନରେ କଂଗ୍ରେସର ନିକଟତମ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ଵାଜଙ୍କୁ ୪୮ ହଜାର ୮୧ ଭୋଟରେ ହରାଇ ବଡ଼ ବିଜୟ ହାସଲ କରିଥିଲେ। ଭଜନଲାଲ ଶର୍ମା ରାଜସ୍ଥାନ ୟୁନିଭର୍ସିଟିରୁ ସ୍ନାତକୋତ୍ତର କରିଛନ୍ତି। ସେ ୧୯୯୩ରେ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଥିଲେ।