କଇଁଛଙ୍କ ଅଣ୍ଡାଦାନ ସମୟରେ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ, ମେ ୧ ପର୍ଯ୍ୟନ୍ତ ମାଛଧରା ମନା
ଭୁୁବନେଶ୍ୱର: ଅଲିଭ ରିଡଲେରେ କଇଁଛଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହୋଇ ଯାଇଛି । ସେମାନଙ୍କ ସୁରକ୍ଷାକୁ ନେଇ ନଭେମ୍ବର ୩୧ରୁ ମେ ୧ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି । ସମୁଦ୍ରକୂଳରେ ପାଟ୍ରୋଲିଂ କଡାକଡି କରାଯାଇଛି । ତେବେ କଇଁଛଙ୍କ ଅଣ୍ଡାଦାନ ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ । ଡିଆରଡିଓ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ ରହିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ପଦକ୍ଷେପ ନେଇଛି ।
ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି ଋଷିକୂଲ୍ୟା, ଗହୀରମଥାରେ ୬୬ କ୍ୟାମ୍ପ କରାଯିବ । ଏହା ସହିତ ୧୦ଟି ସ୍ପିଡ ବୋଟ୍ ଓ ଟ୍ରଲର ନିୟୋଜିତ କରାଯିବ । ନଭେମ୍ବର ୧ରୁ ମେ ୧ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି ରହିବ । ପାଟ୍ରୋଲିଂ ପାଇଁ ଟ୍ରଲର ଦେବାକୁ ପାରାଦୀପ, ଧାମରା ଓ ଗୋପାଳପୁର ପୋର୍ଟର ମଧ୍ୟ ସାହାଯ୍ୟ ନିଆଯିବ । କଇଁଛଙ୍କ ସୁରକ୍ଷାରେ ବିପଦ ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୬୬ଟି ପାଟ୍ରୋଲିଂ କ୍ୟାମ୍ପ, ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବ। ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ।
ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା କୌଶଳ ଦ୍ୱାରା ମାଛ ଧରିବା ନିଷେଧ କରାଯାଇଛି। ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି। ୭ଟି ଏପିଆର ସେକ୍ସନ ଉପକୂଳ ବନଖଣ୍ଡର ନିୟନ୍ତ୍ରଣରେ ଫୋର୍ସ ମୁତୟନ ରହିବେ।

