ସେୟାର ବଜାରରେ ରେକର୍ଡ ପ୍ରଦର୍ଶନ ଜାରି, ପ୍ରଥମ ଥର ୭୧ ହଜାର ଟପିଲା ସେନସେକ୍ସ ଓ ନିଫଟି ୨୧ ହଜାର ପାର


ନୂଆଦିଲ୍ଲୀ: ସେନସେକ୍ସ ଆଜି ଆଉ ଏକ ନୂତନ ଇତିହାସ ରଚି ପ୍ରଥମ ଥର ୭୧ ହଜାର ପାର କରିଛି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୭୧ ହଜାର ୮୪ ସର୍ବକାଳୀନସ୍ତରରେ ପହଂଚିଛି । ଏହି ସମୟରେ ୫୭୦ ଅଙ୍କରୁ ଅଧିକ ବୃଦ୍ଧି ଘଟିଛି । ନିଫଟି ପ୍ରଥମ ଥର ୨୧ ହଜାର ୩୫୦ ସ୍ତରରେ ପହଂଚିଛି । ଶୁକ୍ରବାର ସକାଳ ୧୦ଟା ୩୦ରେ ନିଫଟି ୧୫୧ ପଏଂଟ ବୃଦ୍ଧି ସହ ୨୧ ହଜାର ୩୩୪ ଓ ସେନସେକ୍ସ ୫୦୫ ଅଙ୍କ ବଢି ୭୧ ହଜାର ୧୯ରେ ରହିଥିଲା ।
ଆଜି ୯ଟା ୧୫ରେ ସେୟାର ବଜାର ଖୋଲିବା ମାତ୍ରେ ରେକର୍ଡ ସୃଷ୍ଟି ହୋଇଥିଲା । ସେନସେକ୍ସ ୨୮୯ ପଏଂଟ ବୃଦ୍ଧି ସହିତ ସର୍ବକାଳୀନ ୭୦ ହଜାର ୮୦୪ ପଏଂଟରେ ଖୋଲିଥିବା ବେଳେ ନିଫଟି ୧୦୫ ପଏଂଟ ବଢି ୨୧ ହଜାର ୨୮୭ରେ ରହିିଥିଲା । ଏଥିସହ ପ୍ରଥମ ଥର ସେନସେକ୍ସ ୭୦ ହଜାର ଅତିକ୍ରମ କରିଛି ।
ତେବେ ଆଜିର କାରବାର ଆରମ୍ଭରୁ ବ୍ୟାଙ୍କିଂ କାରବାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳଥିଲା । ଦିନ ଗଡିବା ସହ ଏହି ସେକ୍ଟରର ସେୟାରରେ ସ୍ଥିତି ସୁଧୁରିଛି । ନିଫଟି ଫାଇନାନସିଆଲ ସର୍ଭିସେସ, ଏଫଏମସିଜି, ରିୟାଲଟି ଇଣ୍ଡେକ୍ସ ମଧ୍ୟ ଦୁର୍ବଳ ରହିଥିଲା । ଅନ୍ୟପଟେ ଆଇଟି ସେକ୍ଟରରର ସେୟାରରେ ଦମଦାର ବୃଦ୍ଧି ଜାରି ରହିଛି । ମିଡିଆ, ଫାର୍ମା, ପିଏସୟୁ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ମଧ୍ୟ ସବୁଜ ଚିହ୍ନରେ ଟ୍ରେଣ୍ଡ କରୁଛି ।