Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଋାମ ମନ୍ଦିର ଉଦଘାଟନ ସମାରୋହ ପାଇଁ ସୋନିଆ ଓ ଖଡଗେଙ୍କୁ ନିମନ୍ତ୍ରଣ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ କରାଯାଉନି ଆମନ୍ତ୍ରଣ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବାକୁ ଯାଉଛି । ଏହାକୁ ଐତିହାସିକ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭିଭିଆଇପି ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପଠାଯାଉଛି । ମଙ୍ଗଳବାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପାର୍ଟିର ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଆମନ୍ତ୍ରିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ହେଲେ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ସମାରୋହରେ ଯୋଗ ଦେଇ ପାରିବେ ନାହିଁ ।

ଋାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ତଥା ଟ୍ରଷ୍ଟର ସଦସ୍ୟ ନୃପେନ୍ଦ୍ର ମିଶ୍ର, ଆରଏସଏସର ଅଖିଳ ଭାରତୀୟ ଯୋଗାଯୋଗ ପ୍ରମୁଖ ରାମ ଲାଲ ଓ ଭିଏଚପିର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ଏବଂ ସମାରୋହରେ ସାମିଲ୍ ହେବାକୁ ନିମନ୍ତ୍ରଣ ଦେଇଛନ୍ତି । ତେବେ କଂଗ୍ରେସ ସୂତ୍ର ଅନୁଯାୟୀ, ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା କମ । ନୃପେନ୍ଦ୍ର ମିଶ୍ର ମନମୋହନଙ୍କୁ ମଧ୍ୟ ଭେଟିବାକୁ ସମୟ ମାଗିଥିଲେ, ମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସମୟ ଦେବାକୁ ମନା କରି ଦେଇଥିଲେ।

ପ୍ରତିନିଧିମଣ୍ଡଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଓ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟି ଭବ୍ୟ ସମାରୋହ ପାଇଁ ଆମନ୍ତ୍ରିତ କରିଛନ୍ତି । ଏପରିକି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ସମସ୍ତ ରାଜନୈତିକ ଦଳର ପ୍ରମୁଖଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ସବୁଠୁ ବଡ କଥା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କକୁ ଆମନ୍ତ୍ରିତ କରାଯାଉ ନାହିଁ ।

ସୂଚନା ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ପାଇଁ ଅଭିଷେକ ସମାରୋହ ପରେ ମନ୍ଦିର ଦର୍ଶନ ପାଇଁ ଗୋଟିଏ ଦିନ ସମୟ ସ୍ଥିର କରାଯିବ । କିଛି ସ୍ୱତନ୍ତ୍ର ଟ୍ରେନର ମଧ୍ୟ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ତାଙ୍କ ରାଜ୍ୟର ଭକ୍ତଙ୍କ ସହ ରାମଲଲାଙ୍କ ଦର୍ଶନ ପାଇଁ ଆମନ୍ତ୍ରିତ କରାଯିବ । ସେମାନଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି ।