ନିର୍ବାଚନୀ ବଣ୍ଡ ଜରିଆରେ ୧୦ ଆଞ୍ଚଳିକ ଦଳ ମାଲାମାଲ, ଜାଣନ୍ତୁ ବିଜେଡିକୁ ମିଳିଲା କେତେ କୋଟି


ନୂଆଦିଲ୍ଲୀ: ୨୦୨୧-୨୨ରେ ମାଲାମାଲ ହୋଇଛନ୍ତି ଦେଶର ୧୦ ଆଞ୍ଚଳିକ ଦଳ। ଦ୍ରାବିଡ ମୁନେତ୍ରା କସଗମ(ଡିଏମକେ), ବିଜୁ ଜନତା ଦଳ(ବିଜେଡି), ଓ୍ଵାଇଏସଆର କଂଗ୍ରେସ, ଜନତା ଦଳ ୟୁନାଇଡେ(ଜେଡିୟୁ) ଏବଂ ଆମ ଆଦମୀ ପାର୍ଟି(ଆପ୍) ସମେତ ୧୦ ଆଞ୍ଚଳିକ ଦଳକୁ ନିର୍ବାଚନୀ ବଣ୍ଡ ଜରିଆରେ ୨୦୨୧-୨୨ରେ ୮୫୨.୮୮ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହି ସୂଚନା ଦେଇଛି ଅଣ ସରକାରୀ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ୍ସ(ଏଡିଆର)।

ଏଡିଆରର ତଥ୍ୟ ଅନୁଯାୟୀ, ଉକ୍ତ ଆର୍ଥିକ ବର୍ଷରେ ୩୬ ଆଞ୍ଚଳିକ ଦଳକୁ ମୋଟ୍ ୧୨୧୩ କୋଟି ଟଙ୍କା ମିଳିଛି। ଏଡିଆର ୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୬ଟି ଦଳର ମୋଟ୍ ଆୟ ଏବଂ ବ୍ୟୟର ବିଶ୍ଳେଷଣ କରିବା ପରେ ଏହାର ରିପୋର୍ଟ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛି। ତେବେ ୩୬ ଦଳରୁ ୫ଟି ଦଳକୁ ଅଧିକ ଚାନ୍ଦା ମିଳିଛି।

ଏଡିଆରର ତଥ୍ୟ ଅନୁସାରେ, ନିର୍ବାଚନୀ ବଣ୍ଡ୍ ଜରିଆରେ ଡିଏମକେକୁ ସର୍ବାଧିକ ୩୧୮ କୋଟି ଟଙ୍କା ମିଳିଥିବା ବେଳେ ବିଜେଡିକୁ ୩୦୭ କୋଟି ଟଙ୍କା ଏବଂ ଟିଆରଏସକୁ ୨୧୮ କୋଟି ଟଙ୍କା ମିଳିଛି। ତେବେ ୧୦ ଆଞ୍ଚଳିକ ଦଳ- ଡିଏମକେ, ବିଜେଡି, ଟିଆରଏସ, ଓ୍ଵାଇଏସଆର କଂଗ୍ରେସ, ଜେଡିୟୁ , ସମାଜବାଦୀ ପାର୍ଟି, ଆପ୍, ଶିରୋମଣୀ ଅକାଳି ଦଳ, ଏମଜିପି ଏବଂ ତେଦେପା ୨୦୨୧-୨୨ରେ ନିର୍ବାଚନୀ ବଣ୍ଡ ଜରିଆରେ ୮୫୨.୮୮ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି।

୨୦୨୦-୨୧ ଏବଂ ୨୦୨୧-୨୨ ମଧ୍ୟରେ ୨୦ଟି ଦଳର ଆୟରେ ବୃଦ୍ଧି ଘଟିଥିବା ବେଳେ ୧୫ଟି ଦଳର ଆୟ ହ୍ରାସ ଘଟିଛି। ୩୫ଟି ଦଳର ମୋଟ୍ ୨୦୨୦-୨ରେ ୫୬୫.୪୨୪ କୋଟି ଟଙ୍କାରୁ ବୃଦ୍ଧି ଘଟି ୨୦୨୧-୨୨ରେ ୧୨୧୨.୭୦୮ କୋଟ ଟଙ୍କା ହୋଇଛି। ଏହି ସମୟରେ ୩୬ ଆଞ୍ଚଳିକ ଦଳ ମୋଟ୍ ୨୮୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଘୋଷଣା କରିଛନ୍ତି। ଶୀର୍ଷ ପାଞ୍ଚଟି ଦଳ ୨୮୮ କୋଟିରୁ ୧୭୬.୭୭୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡିଛି।