କେସିଙ୍ଗା ଏନ ଏ ସି ନିର୍ବାହୀ ଅଧିକାରୀଣୀ ଙ୍କ ମନମୁଖୀ ଶାସନ ଏବଂ ଏକ ତରଫିଆ ଶାସନରାଜ କୁ ନେଇ ଆଜି କେସିଙ୍ଗା ଏନ ଏ ସି ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା


କଳାହାଣ୍ଡି, ୩୦/୦୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍.ଏ. ସି. ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନ ନେଇ କେସିଙ୍ଗା ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେସିଙ୍ଗା ସହରରେ ଟ୍ରାଫିକ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା ଲାଗି ରହିଛି। ସମସ୍ୟାର ସମାଧାନ ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ସହରବାସୀ ଏନେଇ ଅନେକ ଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସୁଫଳ ପାଇପାରୁ ନାହାଁନ୍ତି। ଏପରିକି କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିବା ବେଳେ କାଉନସିଲର ମାନଙ୍କ ବିଭିନ୍ନ ଦାବିକୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏନ୍.ଏ.ସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନକୁ ନେଇ ସହରର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିବା ବେଳେ ତାଙ୍କୁ ବଦଳି କରିବା ପାଇଁ ଦାବି ହୋଇଆସୁଛି। ଏପରିକି କାଉନସିଲର ମାନଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନ ଠାରେ ଲିଖିତ ଅଭିଯୋଗ କରାଯାଇ ବଦଳି କରିବା ପାଇଁ ଦାବି ହୋଇଛି । ତଥାପି ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ନହେବା ବିଷୟକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷରେ କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନ କ୍ରମେ ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ବଦଳି କରିବା ଦାବିରେ ଏନ୍ଏସି କାର୍ଯ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଆଜି ଗଣଧାରଣା ଦିଆଯାଇଛି। ଆଜିର ଗଣଧାରଣାରେ କେସିଙ୍ଗାର ସାମ୍ବାଦିକ ସମୂହ, ବୁଦ୍ଧିଜୀବୀ , ସଚେତନ ନାଗରିକ ସମେତ ପୂର୍ବତନ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୁର, ସୂର୍ଯ୍ୟକାନ୍ତ ଦାଶ, ବିଜେଡ଼ି ନଗର ସଭାପତି ରମେଶ ପଟ୍ଟନାୟକ, ବିଜେଡ଼ି କାଉନସିଲର ରମାକାନ୍ତ ଜେନା, ବିଜେପି କାଉନସିଲର ଧରଣୀଧର ନାଏକ, କଂଗ୍ରେସ କାଉନସିଲର ରୋହିତ ଜୈନ୍, କଂଗ୍ରେସ ନଗର ସୁବାଷ ଜୈନ୍, ବିଜେପି ନଗର ସଭାପତି ମଗନ ସିନ୍ଦୂର, ପୂର୍ବତନ କାଉନସିଲର ବିଜୟ ଦୀପ, ସୁରେଶ୍ ମହାନନ୍ଦ ପ୍ରମୁଖ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି। ଏହି ଭଳି ଅନେକ ସମସ୍ୟା କୁ ନେଇ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ କେସିଙ୍ଗା ଏନ ଏ ସି ନିର୍ବାହୀ ଅଧିକାରିଣୀ ଙ୍କୁ ବଦଳି ପାଇଁ ଅଭିଯୋଗ କରାଯାଇଛି |କିନ୍ତୁ ପ୍ରଶାସନ ତରଫରୁ କୋୖଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ଥରେ କେସିଙ୍ଗା ସହର ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଅଛି | ଏହି ଗଣଧାରଣା ରେ କେସିଙ୍ଗା ସହର ର ବିଭିନ୍ନ ସାମାଜିକ କର୍ମୀ ବିଭିନ୍ନ ରାଜନୈତିକ ସଂଗଠନ ଯୋଗଦେଇଥିବା ସହ ଯେପର୍ଯ୍ୟନ୍ତ ଏନ.ଏ.ସି. ଅଧିକାରିଣୀ ଙ୍କୁ କେସିଙ୍ଗା ସହର ରୁ ବଦଳି ନ କରାଯାଇଛି ସେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ବିଭିନ୍ନ ସଂଗଠନ ତଥା ସାମାଜିକ କର୍ମୀ ମତାମତ ଦେଇଛନ୍ତି |