Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…କଳାହାଣ୍ଡି ପାଇଁ ଆଉ ଏକ ରେକର୍ଡରାଜ୍ୟ ସ୍ତରରେ ଶ୍ରେଷ୍ଠ ଡି.ଇ.ଓ, ଶ୍ରେଷ୍ଠ ବି.ଇ.ଓ ଏବଂ ଶ୍ରେଷ୍ଠ ବ୍ଲକ ପୁରସ୍କାର ପାଇଁ ମନୋନୀତକଳାହାଣ୍ଡି ହାତେଇଛି ୯୯ଟି ପୁରସ୍କାର

କଳାହାଣ୍ଡି, ୩୧/୦୧ (ଜଗନ୍ନାଥ ନାଏକ) : ବର୍ତ୍ତମାନ ସମୟରେ ବିଶେଷଭାବେ ସରକାରୀ କ୍ଷେତ୍ରରେ ଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନବୃଦ୍ଧି ଓ ସାମାଜିକ ମୂଲ୍ୟବୋଧ ପ୍ରତି ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟା ଦ୍ୱାରା ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଏଯାବତ୍ ୩୧୭ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଛି। ଶିକ୍ଷା ଆହରଣର ବାଞ୍ଛନିୟତା ଓ ପରୀକ୍ଷା ପଦ୍ଧତିର ବିଶ୍ୱାସନୀୟତା ସୃଷ୍ଟି କରି ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କିତ ସମସ୍ତ ଦିଗରୁ ସମନ୍ୱୟ ଭାବ ସ୍ଥାପିତ ହୋଇପାରିଛି। ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ, ଶିକ୍ଷା, ଶିକ୍ଷାର୍ଥୀ ଏବଂ ବିଦ୍ୟାଳୟ ପରିବେଶକୁ ରାଜ୍ୟ ସରକାର ଅନୁଶୀଳନ କରିଛନ୍ତି। ଓଡିଶା ସରକାରଙ୍କ ମୋ ସ୍କୁଲ ପରିଚାଳନା ସଂଗଠନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଶିକ୍ଷାର ମାନଦଣ୍ଡକୁ ବିଚାର କରି ପ୍ରାଥମିକତା ଦେଇଥିବା ଲକ୍ଷ୍ୟ କରାଯାଇଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅଧୀନରେ ସମଗ୍ର ଓଡ଼ିଶାର ୨୭୧୧୮ ପ୍ରାଥମିକ ଓ ୪୩୦୪୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୦ଟି ବିଦ୍ୟାଳୟ, ୫୦ଜଣ ପ୍ରଧାନ ଶିକ୍ଷକ, ୪ଜଣ ଜିଲ୍ଲା ଶିକ୍ଷା ଅଧିକାରୀ, ୬ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ, ୫୮ଜଣ ସି.ଆର.ସି.ସି ଓ ବିଭିନ୍ନ ବର୍ଗର ପୁରସ୍କାର ଆଜି ମହାସମାରୋହରେ ଭୁବନେଶ୍ୱର ଠାରେ ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସର୍ବ ମୋଟ ୯୯ଟି ପୁରସ୍କାର ହାତେଇଛି। ସର୍ବଶ୍ରେଷ୍ଠ ଜିଲ୍ଲା ଶିକ୍ଷାଧିକାରୀ ଭାବେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର ମନୋନୀତ ହୋଇଥିବା ବେଳେ ସର୍ବଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ୧୦ ଜଣଙ୍କ ମଧ୍ୟରୁ ନର୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ପୁରସ୍କୃତ ହେବେ। ସେହିପରି ଶ୍ରେଷ୍ଠ ବ୍ଲକ ଭାବେ ୧୦ଟି ବ୍ଲକ ମଧ୍ୟରୁ କେସିଙ୍ଗା ବ୍ଲକ ରାଜ୍ୟ ସ୍ତରରେ ମନୋନୀତ ହୋଇଛି। ରାଜ୍ୟର ୫୮ଟି ସି.ଆର.ସି.ସି ପୁରସ୍କାର ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ସି.ଆର.ସି.ସି ରାଜ୍ୟ ପୁରସ୍କାର ପାଇଁ ଚୂଡାନ୍ତ ତାଲିକାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକର ସି.ଆର.ସି.ସି ଅଜିତ ପଧାନ ଓ ଭବାନୀପାଟଣାର ମିନତୀ କୁମାରୀ ପ୍ରଧାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। କଳାହାଣ୍ଡିରୁ ୮ଟି ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୋଲାମୁଣ୍ଡା ବ୍ଲକ ପୁଟିଆଚୁରା ଉ. ପ୍ରା ବିଦ୍ୟାଳୟ, ଧର୍ମଗଡ଼ ବ୍ଲକ ବଗାଡ ଉ. ପ୍ରା ବିଦ୍ୟାଳୟ, ଏମ୍ ରାମପୁର ବ୍ଲକ ଡୁମେରଗୁଡା ଉ. ପ୍ରା ବିଦ୍ୟାଳୟ, କର୍ଲାମୁଣ୍ଡା ବ୍ଲକ ସୁରଜୁଲି ଉ. ପ୍ରା ବିଦ୍ୟାଳୟ, ଜୁନାଗଡ଼ ବ୍ଲକ ହିଞ୍ଜିଳିବାହିଲି ଉ. ପ୍ରା ବିଦ୍ୟାଳୟ, ଭବାନୀପାଟଣା ବ୍ଲକ ଗୁଡ଼ିଆଲିପଦର ଉଚ ପ୍ରାଥମିକ ବିଦ୍ୟାଳୟ, କଲମପୁର ବ୍ଲକ ବଙ୍କାପଲା ଉ. ପ୍ରା ବିଦ୍ୟାଳୟ ଏବଂ ଲାଞ୍ଜିଗଡ ବ୍ଲକର କନର୍ଲା ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ୫୦୦୦୦୦ ଲେଖାଏଁ ପ୍ରଦାନ କରାଯିବ। ସେହିପରି ରାଜ୍ୟ ସ୍ତରରେ କଳାହାଣ୍ଡି ଜିଲ୍ଲାର ଭଟାଙ୍ଗପଦର ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ରୂପେ ଘୋଷାଣ କରାଯାଇଛି। ଠିକ ସେହି ଭଳି ରାଜ୍ୟ ସ୍ତରରେ ଉଚ୍ଚ ବିଦ୍ୟାଳୟରୁ ପାଞ୍ଚ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ। ସେମାନଙ୍କ ମଧ୍ୟରେ ସନ୍ତୋଷ କର (ବିଜ୍ଞାନ), ବିରେନ୍ଦ୍ର ଆଚାର୍ଯ୍ୟ (ଗଣିତ), ରାଜୁ କୁମାର ସାହୁ (ହିନ୍ଦୀ), ବିନୋଦ କୁମାର ଭଦ୍ରା (ସାମାଜିକ ବିଜ୍ଞାନ) ଓ ଯୁଧିଷ୍ଠିର ମୁଦୁଲି (ଇଂରାଜୀ)। ଏତଦ୍ ବ୍ୟତୀତ ଜିଲ୍ଲା ସ୍ତରୀୟ କୃତି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମିଶାଇ ୯୯ଟି ପୁରସ୍କାର କଳାହାଣ୍ଡି ଜିଲ୍ଲାକୁ ମିଳିଥିବା କାରଣରୁ ବୁଦ୍ଧିଜିବୀ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ