ନବମ ଦିବସରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ : ଦେବର୍ଷି ନାରଦଙ୍କ ଦ୍ୱାରା ଧନୁଯାତ୍ରା ପ୍ରସ୍ତାବ, ମଥୁରା ରାଜ ଦରବାରରେ ରଙ୍ଗସଭା


କଳାହାଣ୍ଡି,୦୧/୦୨-ଗୋଟିକ ପରେ ଗୋଟିକ ଅସୁର ଗୋପପୁରକୁ ଯାଇ ଶ୍ରୀକୃଷ୍ଣ, ବଳରାମଙ୍କ ଦ୍ୱାରା ନିହତ ହେଵାପରେ ମହାରାଜ କଂସଙ୍କ ଚିନ୍ତା ଆହୁରି ବଢିଯାଇଛି। ହତୋତ୍ସାହିତ କଂସଙ୍କୁ ପ୍ରବୋଧ ଦେବା ସହିତ ତାଙ୍କ ମୃତ୍ୟୁ ଭୟକୁ ପ୍ରଶମିତ କରିବାକୁ ମହାମନ୍ତ୍ରୀ, ସେନାପତି, ଅଷ୍ଟମଲ୍ଲ ଆଦି ରାଜ ଦରବାରରେ ନୃତ୍ୟ, ଗୀତର ଆୟୋଜନ କରିଛନ୍ତି। ଶ୍ରୀକୃଷ୍ଣ, ବଳରାମଙ୍କୁ ମଥୁରାକୁ ଡକାଇଆଣି ହତ୍ୟା କରିବାକୁ ଦେବର୍ଷି ନାରଦ ଧନୁଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଆଗତ କରିଛନ୍ତି। ଧନୁଯାତ୍ରା ଆୟୋଜନର ପ୍ରସ୍ତାବ ପାରିତ ହେଵାପରେ ମଥୁରାନଗରୀରେ ଆନନ୍ଦ ଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି। ଏହାସହିତ ରାଜ ଦରବାରରେ ମହାରାଜ କଂସଙ୍କ ମାନସପଟଳକୁ ଆହ୍ଲାଦିତ କରିବା ପାଇଁ ଆୟୋଜିତ ହୋଇଛି ରଙ୍ଗସଭା। ବଛାବଛା ରାଜା, ସାମନ୍ତ, ଓ ରାଜବଂଶଜ ଏଇ ରଙ୍ଗସଭାରେ ସାମିଲ ହେଵା ସହିତ ମହାରାଜ କଂସଙ୍କୁ ନୈତିକ ସାହସ ଯୋଗାଇଦେଇଛନ୍ତି। ସେହିପରି ନିଜର ଅଲିଅଳ ଦୁଇ ସନ୍ତାନଙ୍କ ସୁରକ୍ଷା ପାଇଁ ନନ୍ଦରାଜା ଓ ଯଶୋଦା ଚିନ୍ତିତ ହୋଇପଡିଛନ୍ତି। ଅପରପକ୍ଷରେ, ଦେବର୍ଷି ନାରଦ, ଦେବକୀ, ବସୁଦେବଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଶୁଣାଇବା ସହିତ ଭଗବାନଙ୍କ ‘ଦୁଷ୍ଟ ଦଳନ, ସନ୍ଥ ପାଳନ’ ଅବତାର ସମ୍ପର୍କରେ ସୂଚାଇ ଦେଇଛନ୍ତି। ନିଜ ଗର୍ଭରେ ସ୍ୱୟଂ ଭଗବାନ ଅବତାର ନେଇଥିବା ଜାଣି ଦେବକୀ ଓ ବସୁଦେବ ଦେବର୍ଷିଙ୍କଠାରେ ନିଉଚ୍ଛାଳି ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ନବମ ଦିବସରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାରମାନଙ୍କ ଅଭିନୟ ବେଶ ରୋଚକ ହେବାସହିତ ମନୋଜ୍ଞ ହୋଇଥିଲା। ଏହି ଅବସରରେ କଂସ ଦରବାରରେ ମୁଖ୍ୟଅତିଥି ଭାବେ ଯୁବନେତା ଚାଞ୍ଚେର ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷକ କାଳିଆ ସୁନା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ବଳରାମ ବେହେରା, ଯୁବନେତା ହରିହର କୁମାର, ଉପଦେଷ୍ଟା ବନମାଳି ଦଳେଇ, ଯୁବନେତା ମହେନ୍ଦ୍ର କରୁଆଁ, ଯୁବ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଦେବର୍ଷି ନାରଦ ଭାବେ ତରଣୀସେନ ବାରିକ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଯୁବ ଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ, ଯୁବ ସମାଜସେବୀ କିଶୋର କୁମାର ଘଡେଇ ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ଉପେନ୍ଦ୍ର ସାହୁ, ପ୍ରମୋଦ ଗୋୟଲଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପଞ୍ଚମ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପକ୍ଷରୁ ‘ଠକିଦେଲ ବନ୍ଧୁ ଠିକଣା ବେଳେ’ ପ୍ରଦର୍ଶିତ ହୋଇଥିଲା। କଳାହାଣ୍ଡି ପୁଲିସପକ୍ଷରୁ ହାବିଲଦାର ନକୁଳ ନାଏକଙ୍କ ନେତୃତ୍ୱରେ ଛଅଜଣ ପୁଲିସ କର୍ମୀ ଓ ବିଶ୍ୱନାଥପୁର ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସବାହିନୀ ନିୟୋଜିତ ଥିବାବେଳେ ଜେଜେ ଗ୍ରୁପର ସୌମ୍ୟରଞ୍ଜନ କର, ଆକାଶ ସାହୁ, ରିଙ୍କୁ ପ୍ରଧାନୀଙ୍କ ସମସ୍ତ ସଦସ୍ୟ, ପ୍ରଗତି ଯୁବ କେନ୍ଦ୍ର, ଠାକୁରାଣୀ ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ଏବଂ ବିଶ୍ୱନାଥପୁର ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।