ପୁରୀ: ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇ ପାରିବେ ନାହିଁ । ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ ତାଙ୍କୁ ଶପଥ ନେବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ କହିବା କଥା ମାମଲା ବିଶେଷାଧିକାର କମିଟି ପାଖରେ ରହିଛି । ରାଜ୍ୟସଭା ଯିବା ପାଇଁ ସଞ୍ଜୟ ସିଂ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରୁ ସ୍ୱତନ୍ତ୍ର ଅନୁମତି ନେଇକି ଆସିଥିଲେ । ମାତ୍ର ତାଙ୍କୁ ଶପଥ ନେବାକୁ ମନା କରି ଦିଆଯାଇଛି ।
ସଞ୍ଜୟ ସିଂ ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମନି ଲଣ୍ଡ୍ରିଂ କେସରେ ଜେଲରେ ଅଛନ୍ତି । ଫେବୃଆରୀ ୧ରେ ଅନ୍ତରୀଣ ଜାମିନ ପାଇଁ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଥିଲେ ହେଁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସଞ୍ଜୟ ସିଂଙ୍କୁ ଜେଲରୁ ବାହାରି ଶପଥ ନେବାକୁ ଅନୁମତି ଦେଇଥିଲେ, ଯାହା ପରେ ସେ ଆଜି ଶପଥ ନେବାକୁ ଯାଉଥିଲେ । ହେଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଖନଖଡ ଏଥିପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ।
ସଞ୍ଜୟ ସିଂ ସାତ ଦିନର ଅନ୍ତରୀଣ ଜାମିନ ଦେବାକୁ କୋର୍ଟରେ ଆବେଦନ କରିଥିଲେ । ଯଦ୍ୱାରା ସେ ଫେବୃଆରୀ ୫ ତାରିଖରେ ଶପଥ ଗ୍ରହଣ ସମାରୋହରେ ସାମିଲ୍ ହୋଇ ପାରିବେ ଏବଂ ଫେବୃଆରୀ ୫ରୁ ୯ ପର୍ଯ୍ୟନ୍ତ ସଂସଦର ଅଧିବେଶନରେ ଯୋଗ ଦେଇ ପାରିବେ । ହେଲେ ତାଙ୍କ ଓକିଲ ରଜତ ଭରଦ୍ୱାଜ କହିଥିଲେ, ସଞ୍ଜୟ ସିଂଙ୍କୁ ଫେବୃଆରୀ ୭ରେ ତାଙ୍କ ବିରୋଧରେ ଦାୟର ଅନ୍ୟ ଏକ ମାମଲାର ଶୁଣାଣି ପାଇଁ ସୁତଲାନପୁର ଯିବାକୁ ପଡିବ । ତେଣୁ ଜାମିନ ଉପରେ ସେତେଟା ଗୁରୁତ୍ୱ ଦିଆଯାଉ ନାହିଁ ।