ରାଂଚି: ଜମି ଦୁର୍ନୀତିରେ ଗିରଫ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ଚମ୍ପାଇ ସୋରେନ ସରକାରଙ୍କ ବହୁମତ ପରୀକ୍ଷଣରେ ସାମିଲ୍ ହୋଇଛନ୍ତି । ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନାରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ଗୃହରେ ଖୁବ୍ ଆଦିବାସୀ କାର୍ଡ ଖେଳିଛନ୍ତି । କୋର୍ଟଠୁ ଅନୁମତି ନେଇ ଅନାସ୍ଥା ପ୍ରସ୍ତାବରେ ପହଂଚିଥିବା ସୋରେନ ନିଜର ଗିରଫଦାରୀକୁ ଦେଶର ଗଣତନ୍ତ୍ରର କଳା ରାତି ଦର୍ଶାଇଛନ୍ତି । ଆଦିବାସୀଙ୍କୁ ପ୍ରତାଡିତ କରୁଥିବା ଅଭିଯୋଗ କରି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ମଧ୍ୟ ଧର୍ମ ବଦଳାଇବାକୁ ପଡିଥିଲା ।
ହେମନ୍ତ ସୋରେନ ନିଜର ଗିରଫଦାରୀକୁ ନେଇ ରାଜଭବନ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ସେ କହିଛନ୍ତି, ଜାନୁଆରୀ ୩୧ ତାରିଖ ଦେଶର ନୂତନ କଳା ଅଧ୍ୟାୟ ଆରମ୍ଭ କରିଛି । ୩୧ ତାରିଖ ରାତିରେ ଦେଶରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ମୋତେ ଲାଗୁଛି ଏହି ଘଟଣା ପଛରେ ରାଜଭବନର ମଧ୍ୟ ହାତ ରହିଛି । ଯେଉଁଭଳି ଏହି ଘଟଣା ଘଟିଲା ସେଥିରେ ମୁଁ ଚକିତ । ମୁଁ ଆଦିବାସୀ ବର୍ଗରୁ ଆସିଛି । ନିୟମ କାନୁନ ଉପରେ ଜ୍ଞାନ କିଛିଟା କମ ରହିଥାଏ । ବୌଦ୍ଧିକ କ୍ଷମତା ଆମ ବିରୋଧୀ ସହ ସମାନ ବି ନାହିଁ ।
ହେମନ୍ତ ସୋରେନ କହିଛନ୍ତି, ବଡ ସୁନିୟୋଜିତ ଭାବେ ମୋତେ ଗିରଫ କରାଗଲା । ଆଜି କେଉଁଠି ନା କେଉଁଠି ଲାଗୁଛି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଯେଉଁ ସ୍ୱପ୍ନ ଥିଲା ସବୁ ଜାତି ଓ ଧର୍ମର ଲୋକଙ୍କ ମଧ୍ୟରେ ସବୁ ସମାନ ରହିବ । ହେଲେ ଯେଉଁଭଳି ଭାବେ ଆମ୍ବେଦକର ଧର୍ମ ପରିବର୍ତନ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ତେଣୁ ସାଂପ୍ରତିକ ସ୍ଥିତି ଯେମିତି ରହିଛି ଦଳିତ ଆଦିବାସୀମାନେ ଆଗାମୀ ସମୟରେ ଏହା କରିବେ । ଆଦିବାସୀ, ଦଳିତ, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ସହିତ ଭିନ୍ନ ଭିନ୍ନ ତରିକାରେ ଅନ୍ୟାୟ ଓ ଅତ୍ୟାଚାର ହୋଇଛି । ଆଉ ତାର ସଦ୍ୟତମ ଉଦାହରଣ ଜାନୁଆରୀ ୩୧ ତାରିଖ ରାତିରେ ଘଟିଛି ।