ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି । ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ଏକକ ନାଗରିକ ସଂହିତା(ସିଏଏ) ଲାଗୁ କରାଯିବ । ଇଟି ନାଓ ଗ୍ଲୋବାଲ ବିଜନେସ୍ ସମ୍ମିଳନୀରେ ଏହା କହିଛନ୍ତି ଶାହ ।
ଶାହ କହିଛନ୍ତି, ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ, ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡାଇ ନେବ ନାହିଁ । ଏହାର ଉଦ୍ଦେଶ୍ୟ କେବଳ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ଲୋକଙ୍କୁ ନାଗରିକତା ପ୍ରଦାନ କରିବା । ବିଶେଷ କରି ଏହି ପ୍ରତିଶ୍ରୁତି କଂଗ୍ରେସ ନିଜର ଶାସନ କାଳରେ ଦେଇଥିଲା । ବିରୋଧୀ ଦଳ ସିଏଏକୁ ନେଇ ମୁସଲମାନଙ୍କୁ ଭ୍ରମିତ କରୁଛନ୍ତି । ସେମାନଙ୍କୁ ଏହା ବିରୋଧରେ ଉସୁକାଉଛନ୍ତି ।
ସୂଚନାଯୋଗ୍ୟ, ଏହି ବିଧେୟକ ୨୦୧୯ ଡିସେମ୍ବରରେ ସଂସଦରେ ଗୃହୀତ ହୋଇଥିଲା । ଏହା ପରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଧେୟକକୁ ମଞ୍ଜରୁୀ ପ୍ରଦାନ କରିଥିଲେ ଏବଂ ଏହା ଆଇନରେ ପରିଣତ ହୋଇଥିଲା । ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁ ଲୋକଙ୍କୁ ନାଗରିକତା ପ୍ରଦାନ କରିବା ସିଏଏର ମୂଳ ଉଦ୍ଦେଶ୍ୟ ।
ମାତ୍ର ସିଏଏକୁ ନେଇ ସମଗ୍ର ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ହୋଇଥିଲା । ଦିଲ୍ଲୀର ଶାହିନବାଗରେ ମହିଳାମାନେ ଦୀର୍ଘଦିନ ଧାରଣାରେ ବସିଥିଲେ । ଗତ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ସିଏଏକୁ ଲାଗୁ କରିବାରେ କେହି ଅଟକାଇ ପାରିବେ ନାହିଁ । ଏହି ଆଇନ ଆଧାରରେ ଦେଶର ୯ ରାଜ୍ୟର ୩୦ରୁ ଅଧିକ ଜିଲ୍ଲାପାଳଙ୍କୁ ବିଶେଷ ଅଧିକାର ଦିଆଯିବ ।