ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ


ଭୁୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେପିର ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ସମେତ ୧୦ ଜଣ ପ୍ରସ୍ତାବଙ୍କ ଉପସ୍ଥିତିରେ ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ୨ ସେଟ୍‌ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ଓଡିଶାରୁ ଖାଲି ପଡିଥିବା ୩ ରାଜ୍ୟସଭା ପାଇଁ ତିନି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଛି ।

ଗତକାଲି କେନ୍ଦ୍ରୀୟ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହର କିଛି ସମୟ ପରେ ରାଜ୍ୟର ଶାସକ ବିଜୁ ଜନତା ଦଳ ଅଶ୍ୱିନୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଥିଲା । ଓଡିଶାର ରେଳ ବାଇ ଓ ଟେଲି ଯୋଗାଯୋଗର ଉନ୍ନତି ପାଇଁ ଅଶ୍ୱିନୀଙ୍କୁ ଦଳ ସମର୍ଥନ ଦେବ ବୋଲି ନିଷ୍ପତି ନେଇଛି । ତାଙ୍କ ରେଳ ମନ୍ତ୍ରୀ ସମୟରେ ବହୁ ଅନୁଦାନ ଆସିଥିବା ଦଳ ନିଜର ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା । ନିଜର ପ୍ରଥମ ଦୁଇ ପ୍ରାର୍ଥୀଙ୍କ ଭୋଟ୍ ପରେ ଅବଶିଷ୍ଟ ଭୋଟ୍ ଅଶ୍ୱିନୀଙ୍କ ସମର୍ଥନରେ ଦେବ ବିଜେଡି । ଏଥିସହ ୨୦୧୯ ପରି ୨୦୨୪ରେ ଅଶ୍ୱିନୀ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଦ୍ୱିତୀୟ ଥର ମନୋନୀତ ହେବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡିର ଉପସଭାପତି ଶୁଭାଶିଷ ଖୁଂଟିଆକୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଥିଲା । ଉଭୟ ନେତା ପ୍ରାର୍ଥୀ ପତ୍ର ମଧ୍ୟ ଦାଖଲ କରି ସାରିଛନ୍ତି । ତେବେ ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଆଉ ଏହା ଉପରେ ଗତକାଲି ବିରାମ ପକାଇଥିଲେ ଉଭୟ ବିଜେପି ଓ ବିଜେଡି । ଦୁଇ ଦଳ ପୁଣି ଥରେ ଏକାଠି ଆସି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ।