Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଖନପୁର ନାଗରିକ ପରିଷଦ କୋର କମିଟି ବୈଠକ

ଝାରସୁଗୁଡା ୧୫/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ୩୩ ଗୋଟି ପଞ୍ଚାୟତକୁ ନେଇ ଗଠିତ ସର୍ବ ବୃହତ ଲଖନପୁର ବ୍ଲକକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ଦୀର୍ଘ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ଠାରେ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି । ମାତ୍ର ଏଥିପ୍ରତି ରାଜ୍ୟ ସରକାର କୌଣସି ଗୁରୁତ୍ୱ ଦେଉ ନଥିବା ଯୋଗୁଁ ଲଖନପୁର ବ୍ଲକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକ ନାଗରିକ ପରିଷଦ ମଧ୍ୟ ଆନ୍ଦୋଳନକୁ ବିରାଟ ରୂପ ଦେବାକୁ ଜୋରସୋରରେ ଉଦ୍ୟମ ଜାରି ରଖିଛି ।
ଏହି ପରିପ୍ରେକ୍ଷୀରେ ଆଜି ଲଖନପୁର ବ୍ଲକ ନାଗରିକ ପରିଷଦ କମିଟିର ସଭାପତି ପିତାମ୍ବର ମିଶ୍ରଙ୍କ ଆହ୍ୱାନ କ୍ରମେ ବ୍ଲକ ସଦର ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ନାଗରିକ ପରିଷଦ କୋର କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲଖନପୁର ବ୍ଲକ ବିଭାଜନ ଏବଂ ଉପଖଣ୍ଡ ମାନ୍ୟତା ଦାବି ପ୍ରସଙ୍ଗକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଆଗାମୀ ରଣନୀତି ନିର୍ଦ୍ଧାରଣ ବିଷୟରେ ଆଲୋଚନା ହୋଇଥିଲା ଏବଂ ଜିଲ୍ଲାର ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ପଞ୍ଚାୟତ ସ୍ଥିତ ସେମେଲିଆ ସପ୍ନେଶ୍ବର ବାବାଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ବିରାଟ ପଟୁଆରରେ ପଦଯାତ୍ରା ବାହାରି ୪୯ ନମ୍ବର ଜାତୀୟ ରାଜପଥ ଦେଇ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ବ୍ଲକ ବିଭାଜନ ଓ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି ଏବଂ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ଚଳିତ ମାସ ୧୮ ତାରିଖ ଦିନ କନକତୋରା ଠାରେ ଏକ ସାଧାରଣ ବୈଠକ ଆୟୋଜନ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଆଜିର ବୈଠକରେ କୋର କମିଟିର ବରିଷ୍ଠ ସଦସ୍ୟ ଜଗବନ୍ଧୁ ସା, ପୁରୁଷୋତ୍ତମ ଜୟଶ୍ୱାଳ,ସୁଶାନ୍ତ ଚଇନି, ତୁଷାରାମ ପଧାନ, ଗୌତମ ପଧାନ, ପ୍ରଶାନ୍ତ ସୁନା, ପୂର୍ଣ୍ଣଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ବିଶ୍ଵାଳ, ବନବାସୀ ଗୌଡ଼, ମୁକେଶ ସାଗର, ସଞ୍ଜୀବ ଖମାରୀ, ସାମଲ ନାଏକ, ଆଲୋକ ସାହୁ, ନିଳେନ୍ଦ୍ର କୁମାର ଗଜେନ୍ଦ୍ର, ମହେନ୍ଦ୍ର କୁମାର ସାଏ, ବନବାସୀ ଗୌଡ଼ଙ୍କ ସମେତ କୋର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ଇନ୍ଦ୍ରମଣି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନା ଥାଉକି ଗତ ଲଖନପୁର ବ୍ଲକ ଲୋକ ମହୋତ୍ସବ “ତିହାର” ପାଳନ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ଛାମୁଆ କାର୍ଯ୍ୟକାର୍ତ୍ତା ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ଏବଂ ଜିଲ୍ଲାର ସୀମାନ୍ତ ୧୯ ଖଣ୍ଡ ମୌଜା ସେମେଳିଆ ସପ୍ନେଶ୍ବର ବାବାଙ୍କ ପୀଠରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ୧୦୦ କିମି ପଦଯାତ୍ରା କରିବା ପାଇଁ ମତ ପ୍ରକାଶ ପାଇଥିଲା ଏବଂ ଉକ୍ତ ପଦଯାତ୍ରାରେ ଜନ ପ୍ରତିନିଧି,କୃଷକ ସଂଗଠନ,ମହିଳା ସଂଗଠନ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ଯୁବ ସମାଜ ତଥା ହଜାର ହଜାର ସଂଖ୍ୟାରେ ଅଞ୍ଚଳବାସୀ ସାମିଲ ହେବେ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ବୋଲି ନାଗରିକ ପରିଷଦ ପକ୍ଷରୁ କୁହାଯାଇଛି ।

More Stories