ଭୁୁବନେଶ୍ୱର: କଂଗ୍ରେସ ଛାଡି ବିଜେଡିରେ ମିଶି ସାରିଛନ୍ତି ଅଂଶୁମାନ ମହାନ୍ତି । ଏହା କଂଗ୍ରେସକୁ ଝଟକା ଦେଇଥିବା ବେଳେ ଶାସକ ବିଜୁ ଜନତା ଦଳକୁ ମଜବୁତ କରିଛି । ଗତକାଲି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ସାଂସଦ ମାନଓ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି । ତାଙ୍କର ବିଜେଡିରେ ସାମିଲ୍ ହେବା ପରେ ଦଳ ତାଙ୍କୁ କେଉଁ ଆସନରୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତାଙ୍କୁ ବିଧାନସଭାରୁ ଟିକେଟ୍ ମିଳିବ ନା ଲୋକସଭା ପାଇଁ ଦଳ ପ୍ରାର୍ଥୀ କରିବ, ଏହି ପ୍ରଶ୍ନ ଉଠିଛି । ତେବେ ରାଜନୀତି ମହଲରୁ ଏହା ଶୁଣିବାକୁ ମିଳୁଛି ଯେ, ଅଂଶୁମାନଙ୍କୁ କେନ୍ଦ୍ରାପଡା ଲୋକସଭା ସିଟରୁ ପ୍ରାର୍ଥୀ କରାଯାଇପାରେ ।
ଅଂଶୁମାନ କେନ୍ଦ୍ରାପଡାର ରାଜନଗରର ପୂର୍ବତନ ବିଧାୟକ । ସେ ୨୦୧୪ରେ କଂଗ୍ରେସ ଟିକେଟରେ ବିଜୟ ହାସଲ କରିଥିଲେ । ଅଂଶୁମାନ ମହାନ୍ତି ହେଉଛନ୍ତି ରାଜନଗରର ୭ ଥରର ବିଧାୟକ ତଥା ଦୁଇ ଥର ମନ୍ତ୍ରୀ ହୋଇଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ। କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କର ବେଶ ପତିଆରା ରହିଛି । ନିଜସ୍ୱ ଭୋଟ୍ ବ୍ୟାଙ୍କ ଥିବା ସହ ଲୋକ ସଂପର୍କ ମଧ୍ୟ ମଜବୁତ ରହିଛି । ତେଣୁ ତାଙ୍କୁ ଏଥର କେନ୍ଦ୍ରାପଡା ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି । କେନ୍ଦ୍ରାପଡାରେ ବର୍ତମାନ ସାଂସଦ ଅଛନ୍ତି ଅଭିନେତା ଅନୁଭବ ମହାନ୍ତି । ତେବେ ଦଳ ତାଙ୍କୁ ଆଉ ଭରସା କରି ପାରୁନି । ନିଜ ସଂସଦୀୟ କ୍ଷେତ୍ରରେ ଅନୁଭବ ମହାନ୍ତିଙ୍କ ଜନାଧାର କମିବାରେ ଲାଗିଛି । ସେ ରାଜନୀତି କମ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ବ୍ୟକ୍ତିଗତ ମାମଲାକୁ ନେଇ ଦଳର ଛବି ମଧ୍ୟ ମଳିନ ପଡିଛି ।
୧୯୯୯ରୁ କେନ୍ଦ୍ରାପଡା ବିଜେଡିର ଗଡ ଭାବେ ରହି ଆସିଛି । ଏହି ଆସନ ବିଜେଡି ପାଇଁ ଆତ୍ମସମ୍ମାନର ବିଷୟ । ୨୦୧୯ ନିର୍ବାଚନରେ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଦଳ କଳେ ବଳେ କୌଶଳେ ପୁରୁଖା ନେତା ବୈଜୟନ୍ତ ପଣ୍ଡାକୁ ହରାଇବାରେ ସଫଳ ହୋଇଥିଲା । କିନ୍ତୁ ଏବେ ଅନୁଭବଙ୍କ ଟ୍ରାକ ରେକର୍ଡକୁ ଦେଖିଲେ ଦଳ ଆଉ ତାଙ୍କୁ ଭରସା କରି ପାରୁନି । ତେଣୁ ତାଙ୍କ ବଦଳରେ ବିଜେଡି କଂଗ୍ରେସରୁ ଆସି ଦଳରେ ମିଶିଥିବା ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିପାରେ । ଏମିତି ହେଲେ ଦଳ ଫାଇଦାରେ ରହିପାରେ ବୋଲି କୁହାଯାଉଛି । ଅନ୍ୟପଟେ ବିଜେପି ମଧ୍ୟ ଲୋକସଭା ନିର୍ବାଚନ ଉପରେ ଅଧିକ ଗୁରୁତ୍ୱ ଦେଉଛି ।
ଶଙ୍ଖ ଭବନରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ଗତକାଲି ବିଜେଡିରେ ସାମିଲ ହୋଇଥିଲେ ଅଂଶୁମାନ। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏବଂ ଏହି ବିକାଶ ଧାରାକୁ ଦ୍ୱିଗୁଣିତ କରିବା ପାଇଁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଅଂଶୁମାନ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଂଶୁମାନ। ଆଉ ଏବେ କେନ୍ଦ୍ରାପଡାରେ ବିଜେଡି ପାଇଁ ପୋଷ୍ଟର ବୟ ହେବାକୁ ଯାଉଛନ୍ତି ।