କମଲନାଥଙ୍କ ସହ କଂଗ୍ରେସକୁ ଝଟକା ଦେବେ ମନୀଷ ତିୱାରୀ ! ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନେଇ ଗୁଜବ ଏହା ଯେ ସେ ବିଜେପିରେ ସାମିଲ୍ ହୋଇ ପାରନ୍ତି । କମଲନାଥଙ୍କୁ ନେଇ ଅଟକଳ ନ ଥମୁଣୁ କଂଗ୍ରେସକୁ ଆଉ ଏକ ଝଟକା ମିଳିପାରେ । ଖବର ଏହା ମଧ୍ୟ ରହିଛି ଯେ, କଂଗ୍ରେସ ସାଂସଦ ମନୀଷ ତିୱାରୀ ବିଜେପିରେ ଯୋଗ ଦେଇ ପାରନ୍ତି । ପଞ୍ଜାବର ଏକ ଲୋକସଭା ସିଟକୁ ନେଇ ପେଂଚ ରହିଛି, ଯାହା ଉପରେ ବିଜେପି ସହମତି ଦେଇ ନାହିଁ । ଏହି ଅଟକଳର ସତ୍ୟାସତ୍ୟ କେତେ ତାହା ଆଗାମୀ ଦୁଇ ଚାରି ଦିନରେ ସ୍ପଷ୍ଟ ହୋଇଯିବ ।

ଶନିବାର କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ତାଙ୍କ ପୁଅ ତଥା ସାଂସଦ ନକୁଲ ନାଥଙ୍କ ନୂଆଦିଲ୍ଲୀରେ ବିଜେପି ନେତାଙ୍କ ସହ ସାକ୍ଷାତ କରିଥିବା ଖବରକୁ ନେଇ ଚର୍ଚ୍ଚା ଜୋର । କାରଣ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ କମଲନାଥ ବିଜେପିରେ ସାମିଲ ହେବା କଥାକୁ ଖଣ୍ଡନ ମଧ୍ୟ କରି ନାହାନ୍ତି । ସେ କହିଛନ୍ତି କଉ ଦଳରେ ଯୋଗ ଦେବା କଥାକୁ ମନା କରାଯାଉ ନାହିଁ । ହେଲେ ଆପଣମାନେ ଅଧିକ ଉତେଜିତ ହୋଇ ଯାଉଛନ୍ତି । ଯଦି ଏମିତି କିଛି ଘଟେ ତେବେ ସର୍ବପ୍ରଥମେ ସମସ୍ତ ମିଡିଆକୁ ଅବଗତ କରାଇବି ।

କଲମନାଥଙ୍କ ପରେ ଏବେ ସାଂସଦ ମନୀଷ ତିୱାରୀଙ୍କ ମଧ୍ୟ ବିଜେପିରେ ଯୋଗ ଦେବାର ଚର୍ଚ୍ଚା ଜୋର ଧରିଛି । ଖବର ଏହା ମଧ୍ୟ ଯେ, ମନୀଷ ବିଜେପି ନେତାଙ୍କ ଯୋଗାଯୋଗରେ ଅଛନ୍ତି । ହେଲେ ତାଙ୍କ କାର୍ଯ୍ୟାଳୟ ଏହି ଖବରକୁ ଗୁଜବ ବୋଲି କହିଛନ୍ତି । ଏସବୁ କଳ୍ପନା ଜଳ୍ପନା ଭିତିହୀନ ଓ ଆଧାରହୀନ ।