ହାଇଦ୍ରାବାଦ: ବିବାହ ପୂର୍ବରୁ ନିଜ ଚେହେରା ଓ ହସକୁ ଆହୁରି ସୁନ୍ଦର କରିବା ପାଇଁ ଜଣେ ଯୁବକ ସ୍ମାଇଲ ଡିଜାଇନିଙ୍ଗ ସର୍ଜରୀ କରାଇବାକୁ ପହଂଚିଥିଲେ । ମାତ୍ର ସର୍ଜରୀ ସମୟରେ ହାଇଦ୍ରାବାଦର ଏହି ଯୁବକଙ୍କ ମୃତ୍ୟୁ ଘଟିଛି । ପୋଲିସ ଏହି ମାମଲାରେ କେସ୍ ରୁଜୁ କରି କ୍ଲିନିକ ବିରୋଧରେ ତଦନ୍ତ ଆରମ୍ଭ କରି ଦେଇଛି । ହାଇଦ୍ରାବାଦର ଜୁବଲି ହିଲ୍ସ ଅଂଚଳରେ ସ୍ଥିତ ଏଫଏମଏସ ଇଂଟରନ୍ୟାସନାଲ ଡେଂଟାଲ କ୍ଲିନିକକୁ ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣ ବିଞ୍ଜାମ ପହଂଚିଥିଲେ । ଫେବୃଆରୀ ୧୬ରେ ସର୍ଜରୀ କରାଇବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ପୀଢିତ ପରିବାରଙ୍କ କହିବା କଥା ପୁଅର ମୃତ୍ୟୁ ଆନେସ୍ଥେସିଆର ଓଭରଡୋଜ କାରଣରୁ ଘଟିଛି ।
ରାମୁଲୁ ବିଞ୍ଜାନ କହିଛନ୍ତି ତାଙ୍କ ପୁଅ ସର୍ଜରୀ ସମୟରେ ଅଚେତ ହୋଇ ପଡିଥିଲା । ତାଙ୍କ ମୁଣ୍ଡ ନ ହଲିବାରୁ କ୍ଲିନିକର କର୍ମଚାରୀ ମୋତେ ଫୋନ କରିଥିଲେ। ମୁଁ ଏହା ଶୁଣି ତୁରନ୍ତ କ୍ଲିନିକରେ ପହଂଚିଥିଲି । ପୁଅ ଲକ୍ଷ୍ମୀନାରାୟଣକୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା, ଯେଉଁଠି ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲା । ସେ କହିଛନ୍ତି ମୋ ପୁଅର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା । ତାର ଏହି ମୃତ୍ୟୁୁ ପାଇଁ ଉକ୍ତ କ୍ଲିନିକର ଡାକ୍ତର ଦାୟୀ । ମୋତେ ଜଣା ନ ଥିଲା ଯେ, ପୁଅ ସର୍ଜରୀ କରାଇବାକୁ ଯାଇଛି ।
ପୋଲିସ କହିଛି, ମାମଲାରେ କ୍ଲିନିକର ଅବହେଳା କାରଣରୁ ଯୁବକଙ୍କ ମୃତ୍ୟୁ ଘଟିଥିବା କେସ୍ ରୁଜୁ କରାଯାଇଛି । ଆମେ ବର୍ତମାନ ହସ୍ପିଟାଲର କାଗଜପତ୍ର ଯାଂଚ କରୁଛୁ । ସେଠାକାର ସିସିଟିଭି ଫୁଟେଜର ମଧ୍ୟ ଯାଂଚ କରୁଛୁ । ସୂଚନାଯୋଗ୍ୟ, ସ୍ମାଇଲ ଡିଜାଇନ ସର୍ଜରୀ ବହୁ ସମୟରୁ ପ୍ରଚଳିତ । ଲୋକେ ଦାନ୍ତର ସର୍ଜରୀ କରାଇ ନିଜ ମୁହଁକୁ ସୁନ୍ଦର କରିଥାନ୍ତି । ଦାଣ୍ଡ ସଫା ମଧ୍ୟ କରାଯାଏ ।