ପରଲୋକରେ ତ୍ରିଲୋଚନ ଅଗ୍ରୱାଲ : ଅଞ୍ଚଳରେ ଶୋକର ଛାୟା


କଳାହାଣ୍ଡି, ୨୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା , କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁର ଜଣାଶୁଣା ଶିଳ୍ପପତି ତଥା ଡିଡି ବିଲ୍ଡ଼ର ନିର୍ଦ୍ଦେଶକ ତ୍ରିଲୋଚନ ଅଗ୍ରୱାଲ (ତିଳ ବାବୁ) ୬୬ଙ୍କ ଲଡୁଗାଁ ସ୍ଥିତ ନିଜ ବାସ ଭବନରେ ହୃଦଘାତ ରେ ପରଲୋକ ହୋଇଯାଇଥିବା ବେଳେ , ଲଡୁଗାଁ ସ୍ଥିତ ମାରୱାଡ଼ି ଯୁବା ମଞ୍ଚର ମୁକ୍ତି ଧାମରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଶବାଧାରରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ଥିବାବେଳେ , ସାନଭାଇ ରମେଶ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ ଓ ବଡ଼ଭାଇ ଡମ୍ବରୁ ଅଗ୍ରୱାଲ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ସମାଜସେବୀ , ମେଲାପି ଓ ଲୋକଙ୍କ ସୁଖ ଦୁଃଖରେ ସହଭାଗୀ ଭାବେ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ବିଶେଷ ଭାବେ ବେଶ୍ ପରିଚିତ ଥିଲେ । ସେ ଲଡୁଗାଁ ରେ ୨୦୨୧ ମସିହାରୁ ମାମୋଦେବୀ ପ୍ରାଥମିକ ଚିକିତ୍ସଳୟ ମାଧ୍ୟମରେ ରୋଗୀ ମାନଙ୍କୁ ମାଗଣା ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିଲେ । ଲଡୁଗାଁ ରେ ବିଭିନ୍ନ ଯାତ୍ରୀ ମାନଙ୍କ ପାଇଁ ବସଷ୍ଟାଣ୍ଡ ନିକଟରେ ଏକ ଧର୍ମଶାଳା କରିଥିବା ବେଳେ , ବିଭିନ୍ନ ସମୟରେ ମେଗା ଚିକିତ୍ସା କ୍ୟାମ୍ପ ମାଧ୍ୟମରେ ଅନେକ ଚିକିତ୍ସକ ବିଶେଷଜ୍ଞ ମାନଙ୍କୁ ଡାକି ଅଞ୍ଚଳର ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରୁଥିଲେ । ତେଣୁ ତାଙ୍କର ଆକସ୍ମିକ ମୃତ୍ୟୁ ଖବର ପରେ କୋକସରା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।