ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ସାଂସଦ ଏସଟି ହସନ ଆସାମ ସରକାରଙ୍କ ଦ୍ୱାରା ମୁସଲିମ ବିବାହ ଓ ତଲାକ ପଞ୍ଜିକରଣ ଅଧିନିୟମକୁ ରଦ୍ଦ କରିବା ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଯେତେ ଇଚ୍ଛା ଆଇନ ତିଆରି କରନ୍ତୁ ମାତ୍ର ମୁସଲିମ କେବଳ ସରିୟତ ଓ କୁରାନ ମାନିବ । ସବୁ ଟାର୍ଗେଟ୍ କେବଳ ମୁସଲମାନଙ୍କୁ କରାଯାଉଥିବା ସେ କହିଛନ୍ତି ।
ସେ କହିଛନ୍ତି, ଏହି ପ୍ରସଙ୍ଗକୁ ଏତେ ପ୍ରସାରଣ କରିବାର ଆବଶ୍ୟକତା ନାହିଁ । ମୁସଲମାନ ସରିୟତ ଓ କୁରାନର ହିଁ ପାଳନ କରିବ । ସରକାର ଯେତେ ଇଚ୍ଛା ଅଧିନିୟମ, ଡ୍ରାଫ୍ଟ ପ୍ରସ୍ତୁତ କରନ୍ତୁ ଏବଂ ନିୟମ ବନାନ୍ତୁ, ସେଥିରେ ଆମକୁ କିଛି ଫରକ ପଡିବ ନାହିଁ । ପ୍ରତ୍ୟେକ ଧର୍ମର ନିଜ ନିଜ ରୀତିନୀତି ରହିଛି । ଏହାର ପାଳନ ହଜାର ହଜାର ବର୍ଷ ଧରି କରାଯାଉଛି । ଆଜି ମଧ୍ୟ ଏହାର ଅନୁସରଣ କରାଯାଉଛି । ତେଣୁ ଆଜି ବି ମୁସଲମାନ ସରିୟତ ଓ କୁରାନର ହିଁ ପାଳନ କରିବ । ଉଲ୍ଲେଖନୀୟ ହସନ ମୁରାଦାବାଦରୁ ସମାଜବାଦୀ ପାର୍ଟିର ସାଂସଦ ଏବଂ ପେଶାରେ ସେ ଜଣେ ସର୍ଜନ । ସେ ମୁରାଦାବାଦର ମେୟର ମଧ୍ୟ ରହି ସାରିଛନ୍ତି ।
ଅନ୍ୟପଟେ କଂଗ୍ରେସ ନେତା ଅବଦୁର ରଶିଦ ମଣ୍ଡଲ ଆସାମ କ୍ୟାବିନେଟ ନିଷ୍ପତିକୁ ଭେଦଭାବପୂର୍ଣ୍ଣ କହିଛନ୍ତି । କାରଣ ସରକାର ୟୁସିସି ଓ ବହୁବିବାହ ଉପରେ କଟକଣା ଲଗାଇବ ବିଷୟରେ କହୁଥିଲେ ମାତ୍ର ରାଜ୍ୟ ସରକାର ଏମିତି କରିବାରେ ବିଫଳ ହୋଇଛନ୍ତି । ଆଉ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ହିନ୍ଦୁ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ମୁସଲିମଙ୍କୁ ଟାର୍ଗେଟ୍ କରାଯାଉଛି ଏବଂ ଭେଦଭାବପୂର୍ଣ୍ଣ ନିୟମ କରାଯାଉଛି ।