ଭୁୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସରୁ କମ ସମୟ ବାକି ରହିଛି । ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ଟିକେଟ୍ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇ ଯାଇଛି । ତେବେ ଶାସକ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ସବୁ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ବିଜେଡି ପାଇଁ ଏକ ଦ୍ୱନ୍ଦ୍ୱ ସ୍ଥିତି ସୃଷ୍ଟି କରିଛି । ବିଜେଡି ଟିକେଟ୍ ପାଇଁ ୧୦ ହଜାରରୁ ଅଧିକ ଆବେଦନ ମିଳିଥିବା କହିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ବହୁ ସଂଖ୍ୟାରେ ପେଶାଦାର ଓ ଜାତୀୟ ଦଳର ନେତାମାନେ ବି ବିଜେଡି ଟିକେଟ୍ ପାଇଁ ଆବେଦନ କରିଛନ୍ତି । ଏହା ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ସୂଚାଉଛି ବୋଲି ପ୍ରଣବ କହିଛନ୍ତି । ନବୀନ ବାବୁଙ୍କୁ ଲଗାତାର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡିଶାବାସୀ ସ୍ଥିର କରି ସାରିଛନ୍ତି । ହେଲେ ଯେତେ ଅଧିକ ଆଶାୟୀ ବଢିବେ ଦଳରେ ସେତିକି ଆଭ୍ୟନ୍ତରୀଣ କନ୍ଦଳ ସୁଷ୍ଟି ହେବା ସ୍ୱାଭାବିକ । ଜଣକୁ ଟିକେଟ୍ ମିଳିବ ଏବଂ ଅନ୍ୟଙ୍କୁ ନ ମିଳିଲେ ସେମାନେ ଆଉ ଦଳକୁ ପସନ୍ଦ କରିବେନି ଏବଂ ଭୋଟ୍ ହ୍ରାସ ପାଇଁ ମଧ୍ୟ ଚେଷ୍ଟା କରିବାର ପୂର୍ବରୁ ଅନେକ ନଜିର ରହିଛି ।
ପ୍ରାୟ ପତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି । ଦଳର ବରିଷ୍ଠ ନେତାମାନେ ଯେତେ ଦମ୍ଭୋକ୍ତି ପ୍ରକାଶ କଲେ ମଧ୍ୟ ଦଳୀୟ କନ୍ଦଳ ଏବଂ ନେତାଙ୍କ ଅସନ୍ତୁଷ୍ଟ ଗୁଞ୍ଜରଣ ବାରି ହୋଇ ପଡୁଛି । ଅନ୍ୟପଟେ ଜାତୀୟ ସ୍ତରର ସବୁ ସର୍ଭେ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଯେତେ ଦର୍ଶାଇଲେ ମଧ୍ୟ ନିକଟରେ ଅନେକ ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ପ୍ରିପୋଲ୍ ସର୍ଭେରେ ନବୀନଙ୍କ ଲୋକପ୍ରିୟତା କମୁଥିବା ଦେଖିବାକୁ ମିଳିଛି । ସେ ଇଣ୍ଡିଆ ଟୁଡେର ସର୍ଭେ ହେଉ କି ଟାଇମ୍ସ ନାଓ ଅବା ଦ ଫେଡେରାଲ କିମ୍ବା ଜନମତ ଟାଇମ୍ସ ସବୁଥିରେ ବିଜେଡିର ଲୋକପ୍ରିୟତା କମୁଥିବା ଏବଂ ଭୋଟହାର ମଧ୍ୟ ସେହି ଅନୁପାତରେ କମୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଟିକେଟ୍ ପାଇଁ ହଜାର ହଜାର ଆଶାୟୀ ଆବେଦନ କରିବା ଦଳକୁ ମଜବୁତ କରିବ ନା ଟିକେଟ୍ ନ ମିଳିଲେ ଆବେଦନ କରିଥିବା ଆଶାୟୀ ଅନ୍ୟ ରାସ୍ତା ଧରିବେ ତାହା କହିବା ବଡ ମୁସ୍କିଲ।
ସେମିତିରେ ଦୀର୍ଘ ୨୫ ବର୍ଷ ଶାସନ ରହିବା ପରେ ପ୍ରଥମ ଥର ନବୀନ ପଟ୍ଟନାୟକଙ୍କୁ କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଥମ ଥର ତାଙ୍କ ଲୋକପ୍ରିୟତା କମିଥିବା ଦେଖିବାକୁ ମିଳିଛି । ପୁଣି ସରକାର ବିରୋଧୀ ଲହର ମଧ୍ୟ ବଢିବାରେ ଲାଗିଛି । ନିର୍ବାଚନ ପାଖେଇବା ସହ ସରକାର ମାଳ ମାଳ ମନଲୋଭା ଘୋଷଣା କରି ଚାଲିଛନ୍ତି । ନିକଟରେ ସରକାର ୩୫ଟି ଅଂଚଳକୁ ଏନଏସି ଘୋଷଣା କରିଛନ୍ତି । ଏଥିରୁ ପ୍ରତୀତମାନ ହେଉଛି ଯେ, କେଉଁଠି ନା କେଉଁଠି ଦଳର ବରିଷ୍ଠ ନେତାଙ୍କ ମନରେ ନିର୍ବାଚନର ଭୟ ଲାଗି ରହିଛି ।