ଗୁରୁବାର ବିଳମ୍ବିତ ରାତି ଯାଏ ଚାଲିଲା ବିଜେପିର ବୈଠକ, ଆଜି କୌଣସି ସମୟରେ ହୋଇପାରେ ପ୍ରାର୍ଥୀ ଘୋଷଣା


ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଦଳଗୁଡିକ ପକ୍ଷରୁ ଟିକେଟ୍ ବଂଟନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ତେବେ ଲୋକସଭା ନିବାଚନରେ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ନେଇ ବିଜେପି ହାଇକମାଣ୍ଡଙ୍କ ଗୁରୁବାର ବିଳମ୍ବିତ ରାତି ଯାଏ ବୈଠକ ବସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ ବୈଠକରେ ଗୁଜରାଟ, ୟୁପି, ଉତରାଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ପରି ରାଜ୍ୟକୁ ନେଇ ଆଲୋଚନା ହୋଇଛି । ଗୁଜରାଟର ଗାନ୍ଧିନଗରରୁ ଲାଲକୃଷ୍ଣ ଆଡଭାଣୀ ନିର୍ବାଚନ ଲଢି ଆସିଥିଲେ । ତେବେ ପୁଣି ଥରେ ଉକ୍ତ ଆସନରୁ ଅମିତ ଶାହ ନିର୍ବାଚନ ଲଢିବେ ।

ସୂଚନା ଅନୁସାରେ ୧୫୦ ଲୋକସଭା ଆସନରେ ପ୍ରାର୍ଥୀ ନାଁ ଉପରେ ବୈଠକରେ ଆଲୋଚନା ହୋଇଛି । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଭଳି ହେଭିୱେଟ୍‌ଙ୍କ ନାଁ ରହିଛି । ଦଳ କୌଣସି ମୁହୂର୍ତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏଥର ନେକ ମନ୍ତ୍ରୀଙ୍କ ଟିକେଟ୍ ମଧ୍ୟ କଟିପାରେ ।

ରିପୋର୍ଟ ଅନୁଯାୟୀ, ଆଜି କୌଣସି ସମୟରେ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୫୦ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ଗୁରୁବାର ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଉତରାଖଣ୍ଡ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିଲେ।