Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷିତ, ଓଡ଼ିଶାର ନାହିଁ ନାଁ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାଁ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ସାମିଲ୍ ରହିଛି। ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୮ଜଣ ମହିଳା, ଅନୁସୂଚିତ ଜାତି(ଏସସି)ରୁ ୨୭, ଅନୁସୂଚିତ ଜନଜାତି(ଏସଟି) ବର୍ଗରୁ ୧୮ ଏବଂ ପଛୁଆ ବର୍ଗ(ଓବିସି)ରୁ ୫୭ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ତାଲିକାରେ ଓଡ଼ିଶାର ନାଁ ନାହିଁ।

​ବିଜେପିର ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ୫୧, ପଶ୍ଚିମବଙ୍ଗର ୨୦, ମଧ୍ୟପ୍ରଦେଶର ୨୪, ଗୁଜରାଟର ୧୫, ରାଜସ୍ଥାନର ୧୫, କେରଳର ୧୨, ତେଲେଙ୍ଗାନାର ୯, ଆସାମର ୧୧, ଝାଡ଼ଖଣ୍ଡର ୧୧, ଛତିଶଗଡ଼ର ୧୧, ଦିଲ୍ଲୀର ୫, ଜମ୍ମୁ-କାଶ୍ମୀରର ୨, ଉତ୍ତରାଖଣ୍ଡର ୩, ଅରୁଣାଚଳ ପ୍ରଦେଶର ୨, ଗୋଆର ୧, ତ୍ରିପୁରାର ୧, ଆଣ୍ଡାମାନର ୧, ଦାମନ ଓ ଡିଉରୁ ୧ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଗାନ୍ଧିନଗରରୁ ମଇଦାନକୁ ଓହ୍ଲାଇବେ। ମନସୁଖ ମାଣ୍ଡଭିୟ ପୋରବନ୍ଦରରୁ, ରାଜସ୍ଥାନ ସିଂହ ଲକ୍ଷ୍ନୌରୁ,  ଜିତେନ୍ଦ୍ର ସିଂ ଉଧମପୁରରୁ, କିରେନ ରିଜିଜୁ ଅରୁଣାଚଳ ଇଷ୍ଟରୁ, ସ୍ମୁତି ଇରାନୀ ଆମେଠିରୁ, ସର୍ବାନନ୍ଦ ସନଓ୍ଵାଲ ଆସାମର ଡିବ୍ରୁଗଢରୁ, ଶ୍ରୀପଦ ୟେସୋ ନାଇକ ଉତ୍ତର ଗୋଆରୁ ଲୋକସଭା ନିର୍ବାଚନ ଲଢିବେ।

ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଗୋଟିଏ ହେଲେ ପ୍ରାର୍ଥୀ କିମ୍ବା ଆସନର ନାଁ ନାହିଁ। ଚର୍ଚ୍ଚା ଚାଲିଥିଲା ଯେ, ବିଜେପି ସୁନ୍ଦରଗଡ଼, ସମ୍ବଲପୁର, ଭୁବନେଶ୍ଵର , ପୁରୀ ଓ ମୟୂରଭଞ୍ଜରୁ ପ୍ରାର୍ଥୀ ଘୋଷଣା କରିବ। କିନ୍ତୁ ସେମିତି କିଛି ହୋଇ ନାହିଁ। ଫଳରେ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଏହା ବଳ ଯୋଗାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ