Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ମହାମିଶ୍ରଣ ପର୍ବ: ପଦ୍ମ ଧରିଲେ ବିଧାୟକ ପ୍ରେମାନନ୍ଦ, ରାଜୁ ଓ ନରେନ, କାଲି ମିଶିଥିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ଏହି କ୍ରମରେ ଆଜି ବିଜେପିରେ ମିଶିଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ନିକଟରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଭଦ୍ରକର ପୂର୍ବତନ ବିଧାୟକ ନରେନ ପଟେଲ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ଏହି ତିନି ନେତା ଦଳୀୟ କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ନିଜର ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି ।

ତେଲକୋଇର ଦୁଇ ଥର ବିଧାୟକ ରହିଥିବା ତଥା ନବୀନ ସରକାରରେ କିଛି ଦିନ ମନ୍ତ୍ରୀ ଥିବା ପ୍ରେମାନନ୍ଦ ନାୟକ ନିକଟରେ ବିଜେଡିରେ ଛାଡିଥିଲେ । ସେ ଦଳର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା କହିଥିଲେ । ୨୦୦୯ ରେ ପ୍ରଥମଥର ପାଇ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ। ଆଉ ଆଜି ନିଜର ସମର୍ଥକଙ୍କ ସହ ବିଦ୍ଧିବଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି ।

ସେହିପରି ୨୦୦୯ ମସିହାରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ ରାଜେନ୍ଦ୍ର ଦାସ । ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ହେଲେ ୨୦୧୯ରେ ଟିକେଟ୍ ପାଇଥିଲେ ହେଁ ରାଜେନ୍ଦ୍ର ଦାସ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କଠୁ ପରାଜିତ ହୋଇଥିଲେ । ବିଷ୍ଣୁଙ୍କ ଦେହାନ୍ତ ପରେ ଧାମନଗର ଉପରେ ଉପ ନିର୍ବାଚନରେ ବିଜେଡି ଟିକେଟ୍ ନ ଦେବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଫଳରେ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀଙ୍କ ବିଜୟ ସୁଗମ ହୋଇଥିଲା । ଦଳ ବିରୋଧୀ କାମ ଯୋଗୁଁ ବିଜେଡି ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଥିଲା । ଆଉ ଏବେ ରାଜେନ୍ଦ୍ର ବିଜେପିରେ ସାମିଲ୍ ହୋଇଛନ୍ତି ।

କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ମିଶିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ। ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ। ତେବେ ଶେଷ ମୁହୂର୍ତ୍ତରେ ସେଥିରୁ ବଞ୍ଚିତ ହୋଇଥିଲେ।

ଗତକାଲି ୬ ଥରର ବିଧାୟକ ତଥା ଜୟଦେବର ବର୍ତମାନ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ସାମିଲ୍ ହୋଇଥିଲେ । ଏହା ସହିତ ତାଙ୍କର ଘରବାହୁଡା ହୋଇଛି । ଗତ ଶନିବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ରାଜନୈତିକ କ୍ୟାରିୟର ବିଜେପିରୁ ଆରମ୍ଭ କରିଥିଲେ । ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଏକଦା ନବୀନ ସରକାରର ପ୍ରଭାବଶାଳୀ ନେତା ଥିବା ଦେବାଶିଷ ନାୟକ ଗତ ଦିନରେ ବିଜେପିରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଯେତିକି ପାଖଉଛି ବିଜେଡିରୁ ଅନେକ ନେତା ଏବଂ ବିଧାୟକ ଦଳ ଛାଡିବାରେ ଲାଗିଛନ୍ତି । ଦଳର ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିଛି । ଫଳରେ ଦଳର ପୁରୁଖା ନେତାମାନେ ବିଜେଡି ଛାଡି ବିଜେପିରେ ମିଶିବାରେ ଲାଗିଛି । ଏହା ପୂର୍ବରୁ ଏମିତି ସ୍ଥିତି କେବେ ବିଜେଡିରେ ଦେଖିବାକୁ ମିଳି ନ ଥିଲା । ଦଳ ବର୍ତମାନ ଯେତିକି ବିରୋଧର ସମ୍ମୁଖୀନ ହେଉଛି ଦଳର ନିର୍ବାଚନୀ ରଣନୀତିକୁ ବିଗାଡି ଦେଇଛି । ଅନ୍ୟପଟେ ବିଜେପି ଆହୁରି ମଜବୁତ ହେବାରେ ଲାଗିଛି ।

More Stories