ମାର୍ଚ୍ଚ ୧୪ କିମ୍ବା ୧୫ରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ, ୭ଟି ପର୍ଯ୍ୟାୟରେ ହେବ ମତଦାନ


ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ପୁରା ଦେଶର ରାଜନୀତି ମାହୋଲ ସରଗରମ ହୋଇ ଉଠିଛି । ପ୍ରାର୍ଥୀ ଘୋଷଣା ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଏହା ମଧ୍ୟରେ ସଭିଙ୍କ ନଜର ନିର୍ବାଚନ ଆୟୋଗଙ୍କ ଉପରେ ରହିଛି । କେବେ ତାରିଖ ଘୋଷଣା ହେବ ଏହାକୁ ସବୁ ରାଜନୈତିକ ଦଳ ଚାହିଁ ରହିଛନ୍ତି । ତେବେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରି ପାରନ୍ତି । ସୂତ୍ର ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନ ପରି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରେ । ଖବର ଏହା ମଧ୍ୟ ଯେ, ଏପ୍ରିଲର ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇପାରେ ।

ଲୋକସଭା ନିର୍ବାଚନର ପ୍ରସ୍ତୁତିକୁ ନେଇ ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ସାମ୍ବାଦିକ ସମ୍ମିଳନୀ କରି ପାରନ୍ତି । ଆଗାମୀ ସପ୍ତାହରେ କୌଣସି ଦିନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରି ପାରନ୍ତି । ସଂପ୍ରତି ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ସବୁ ରାଜ୍ୟର ପ୍ରସ୍ତୁତିର ଆକଳନ କରିବା ପରେ ଆୟୋଗ ତାରିଖ ଘୋଷଣା କରିବେ ।

ବର୍ତମାନ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଏହା ପରେ ଟିମ୍ ଉତର ପ୍ରଦେଶ ଏବଂ ପୁଣି ଜମ୍ମୁ-କାଶ୍ମୀର ଗସ୍ତ କରିବେ । ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀଙ୍କ ସବୁ ରାଜ୍ୟ ଗସ୍ତ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ସରିଯିବ । ପ୍ରତ୍ୟେକ ରାଜ୍ୟ ଗସ୍ତରେ ଅୟୋଗ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଲଗାତାର ବୈଠକ କରୁଛନ୍ତି ।

ନିର୍ବାଚନ ଆୟୋଗ ଆଗାମୀ ଲୋକସଭା ନିର୍ବାଚନକୁ ପାରଦର୍ଶୀ ଓ ନିରପେକ୍ଷ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ(ଏଆଇ)ର ବ୍ୟବହାର କରି ପାରନ୍ତି । ଏଥିପାଇଁ ଆୟୋଗ ଏକ ବିଭାଗ ମଧ୍ୟ ଗଠନ କରିଛନ୍ତି, ଯିଏ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଭୁଲ୍ ସୂଚନା ଓ ଗୁଜବକୁ ଚିହ୍ନଟ କରି ହଟାଇବାର କାମ କରିବ ।

ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତାରିଖ ଘୋଷଣା ପୂର୍ବରୁ ଅନେକ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରି ସାରିଲେଣି । ବିଜେପି ନିକଟରେ ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେହିପରି ଆପ୍‌, ସମାଜବାଦୀ ପାର୍ଟି, ଓ ରାଷ୍ଟ୍ରୀୟ ଲୋକଦଳ ମଧ୍ୟ ନିଜର ପ୍ରାର୍ଥୀ ତାଲିକା ଜାରି କରି ସାରିଛନ୍ତି ।