ଭୁବନେଶ୍ୱର ବିଜେଡିରୁ କିଏ ହେବ ସାଂସଦ ପ୍ରାର୍ଥୀ ? ଶ୍ରୀମୟୀଙ୍କ ବିରୋଧରେ ଏଂଟ୍ରି ମାରିଲେ ମିହିର ମହାନ୍ତି

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ଟିକେଟ୍ ଖଣ୍ଡିଏ ପାଇଁ ଆଶାୟୀଙ୍କ ହାଉଜାଉ ବଢିବାରେ ଲାଗିଛି । ବିଶେଷ କରି ଶାସକ ବିଜୁ ଜନତା ଦଳ ଶିବିରରେ ମାଳ ମାଳ ଆଶାୟୀଙ୍କ ଭିଡ ଜମିବାରେ ଲାଗିଛି । ଫଳରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ପ୍ରାର୍ଥୀ ଥିବାରୁ ଦଳରେ ଅନ୍ତଦ୍ୱର୍ନ୍ଦ୍ୱ ବଢୁଛି, ଯାହାର ଝଲକ ଦେଖିବାକୁ ମିଳି ସାରିଛି । ଆଉ ଏବେ ରାଜଧାନୀରେ ମଧ୍ୟ ବିଧାନସଭା କ୍ଷେତ୍ରଠୁ ନେଇ ସଂସଦୀୟ କ୍ଷେତ୍ରରେ ମଧ୍ୟ ଏକାଧିକ ପ୍ରାର୍ଥୀ ଟିକେଟ୍ ପାଇଁ ଲବି ଚଳାଇବା ଆରମ୍ଭ କରିଛନ୍ତି । ନବୀନ ନିବାସ ଯାଇ ନିଜର ବାୟୋଡାଟା ଦେଉଛନ୍ତି ଏବଂ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ଯେ, ଆଶା ଅଛି ଆମକୁ ଟିକେଟ୍ ମିଳିବ ।
ଏହି କ୍ରମରେ ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଆଶାୟୀ ତାଲିକା ଲମ୍ବା ହୋଇଛି । ସାଂସଦ ପ୍ରାର୍ଥୀ ଦୌଡରେ ଏଂଟ୍ରି ମାରିଛନ୍ତି ଭୁବନେଶ୍ୱରର ପ୍ରଥମ ମେୟର ତଥା ବରିଷ୍ଠ ବିଜେଡି ନେତା ମିହିର ମହାନ୍ତି । ମଙ୍ଗଳବାର ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଛନ୍ତି ମିହିର । ନବୀନ ନିବାସରୁ ବାହାରି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଭୁବନେଶ୍ୱରର ଯାହା ପରିସ୍ଥିତି ତାକୁ ଦୃଷ୍ଟିରେ ରଖି ମୁଁ ପ୍ରାର୍ଥୀ ପତ୍ର ଦାଖଲ କରିଛି । ସେ ନାଁ ନ ନେଇ କହିଛନ୍ତି ପ୍ରତିପକ୍ଷଙ୍କୁ ଭଲ ମୁକାବିଲା କରିବା ଦରକାର । ଶ୍ରୀମୟୀ ବୁଲିବା ଦ୍ୱାରା କଣ ପ୍ରଭାବ ପଡୁଛି ସେ କଥା ମୁଁ କହିବିନି । କିନ୍ତୁ ଏତିକି କହିବି ମୁଁ ଭଲ ଟକ୍କର ଦେଇ ପାରିବି । ଭୁବନେଶ୍ୱର ଲୋକସଭା ପାଇଁ ଜଣେ ଲଢୁଆ ପ୍ରାର୍ଥୀ ଦରକାର ଯିଏ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେଇ ପାରିବ । ଶ୍ରୀମୟୀଙ୍କଠୁ ମୁଁ ଭଲ ଟକ୍କର ଦେଇ ପାରିବି ବୋଲି ମିହିର ମହାନ୍ତି କହିଛନ୍ତି ।
ବର୍ତମାନ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି । ଶ୍ରୀମୟୀ ମଧ୍ୟ ସଂସଦୀୟ କ୍ଷେତ୍ରର ୭ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସହ ମିଶି ନିଜ ସପକ୍ଷରେ ଜନାଧାର ବଢାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ବିଜେଡି ତାଙ୍କୁ ପ୍ରମୋଟ କରିବାରେ ଲାଗିଛି । ଦଳର ପ୍ରତିଟି କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳୁଛି । ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଖୋଲାଖୋଲି କହି ସାରିଛନ୍ତି ଶ୍ରୀମୟୀ ସାଂସଦ ପ୍ରାର୍ଥୀ । ତେବେ ସାଂପ୍ରତିକ ସ୍ଥିତିରେ ତାଙ୍କର ଲୋକପ୍ରିୟତା କମୁଥିବା ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ସାମ୍ନାକୁ ଆସିଛନ୍ତି ରାଜଧାନୀର ପ୍ରଥମ ମେୟର ମିହିର ମହାନ୍ତି । ଅପରାଜିତା ଷଡଙ୍ଗୀଙ୍କୁ କିଏ ଟକ୍କର ଦେବ ତାହା ତ ପର କଥା । କିନ୍ତୁ ଏବେ ଟିକେଟ୍ ପାଇଁ ପାଇଁ ବିଜେଡିରେ ମିହିର ଓ ଶ୍ରୀମୟୀଙ୍କ ମଧ୍ୟରେ ଭଲ ମୁକାବିଲା ଦେଖିବାକୁ ମିଳିବ । ଏବେ ଦେଖିବା ବାକି ରହିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ଟିକେଟ୍ ଦେଉଛନ୍ତି ।