Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଂଟକୁ ଆନୁଷ୍ଠାନିକ ଘୋଷଣା ବାକି, ଏମିତି ରହିଛି ସିଟ୍ ସମୀକରଣ; ବିଧାନସଭା ଆସନରେ ଅଟକିଛି ପେଂଚ !

ଭୁବନେଶ୍ୱର: ଗତକାଲି ଦିନ ତମାମ ବିଜେପି ଓ ବିଜେଡି ମେଂଟକୁ ନେଇ ଉଠିଲା ପଡିଲା ରାଜ୍ୟ ରାଜନୀତି । ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ଦିଲ୍ଲୀରେ ରାଜ୍ୟ ବିଜେପି ସହ କେନ୍ଦ୍ରୀୟ ନେତାଙ୍କ କୋର କମିଟି ବୈଠକ ବସିଲା । ବୈଠକ ପରେ ଦୁଇ ଦଳର ନେତା ଯେଉଁଭଳି ମନ୍ତବ୍ୟ ଦେଲେ ତାହା ମେଂଟ ହେବା ନେଇ ସ୍ପଷ୍ଟ ଆଭାସ ମିଳିଛି । ବାସ୍ କେବଳ ଔପଚାରିକ ଘୋଷଣା ବାକି ରହିଛି । ଆଶା କରାଯାଉଛି ଆଉ ଦିନେ କି ଦୁଇ ଦିନ ଭିତରେ ଆନୁଷ୍ଠାନିକ ଘୋଷଣା ହୋଇଯିବ । ତେବେ ମେଂଟ ହେଉଥିବାରୁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହତାଶ ଛାଇ ରହିଛି । ବିଶେଷ କରି ରାଜ୍ୟ ବିଜେପି କର୍ମୀ ଓ ଜିଲ୍ଲା ଅଫିସ ସ୍ତବ୍ଧ ହୋଇ ରହିଛି ।

ମେଂଟ ହେଲେ କାହା ଭାଗରେ କେତେ ସିଟ୍ ପଡିବ ତାହା ସବୁଠୁ ବଡ ପ୍ରଶ୍ନ । ତେବେ ଯେଉଁ ଖବର ସାମ୍ନାକୁ ଆସୁଛି ଏବଂ ସିଟ୍ ସେୟାରିଂର ଯେଉଁ ସମୀକରଣ କୁହାଯାଉଛି ସେହି ହିସାବରେ ବିଜେପିକୁ ୧୪ ଲୋକସଭା ସିଟ୍ ଛାଡିପାରେ ବିଜେଡି । ଆଉ ନିଜେ ୭ଟିରେ ନିର୍ବାଚନ ଲଢିପାରେ । ହେଲେ ବିଧାନସଭା ସିଟରେ ବିଜେଡି ନିଜ ପାଖରେ ୧୦୨ ଆସନ ରଖୁଥିବା ବେଳେ ବିଜେପିକୁ ୪୫ଟି ସିଟ୍ ଦେଇପାରେ । ଲୋକସଭା ସିଟ୍ ସେୟାରିଂର ଫର୍ମୁଲାରେ ଦୁଇ ଦଳ ସହମତ ଥିବା ବେଳେ ବୋଧହୁଏ ବିଧାନସଭା ସିଟ୍ ବଂଟନକୁ ନେଇ କିଛି ପେଂଚ ରହିଛି । ବୋଧହୁଏ ସେଥିପାଇଁ ମେଂଟର ଆନୁଷ୍ଠାନିକ ଘୋଷଣାରେ ବିଳମ୍ବ ଘଟୁଛି । ସିଟ୍ ସେୟାରିଂର ଏହି ଫର୍ମୁଲା ମଧ୍ୟ ଗତ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା । ଏବେ ଦୁଇ ଦଳର ଶୀର୍ଷସ୍ତରର ନେତା ସିଟ୍ ସେୟାରିଂ ଫର୍ମୁଲା ଚୂଡାନ୍ତ ହେବା ପରେ ମେଂଟ ଘୋଷଣା କରି ଦେବେ ବୋଲି ଆଶା କରାଯାଉଛି ।

ଏମିତି ହେଲେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ମେଂଟକୁ ଫେରିବେ ବିଜେପି ଓ ବିଜେଡି । ୨୦୦୯ ସମିହା ମାର୍ଚ୍ଚ ୯ ତାରିଖରେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି। ୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ଧରି ଚାଲିଥିଲା। ୨୦୦୦ ଓ ୨୦୦୪ ମସିହାରେ ଏକାଠି ହୋଇ ନିର୍ବାଚନ ଲଢିଥିଲେ ଏବଂ ଦୁଇ ଥର ମିଳିତ ସରକାର କରିଥିଲେ ଦୁଇ ଦଳ। ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍ ବାଣ୍ଟି ନେଇଥିଲେ। ବିଜେଡିକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍ ଛାଡ଼ିଥିଲା ବିଜେପି। ଆଉ ବିଜେପିକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍ ଛାଡ଼ିଥିଲା ବିଜେଡି। କିନ୍ତୁ ୨୦୨୪ ନିର୍ବାଚନରେ ସମୀକରଣରେ ବହୁତ ପରିବର୍ତନ ଦେଖିବାକୁ ମିଳିବ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ୪-୩ ହାରରେ ନିର୍ବାଚନ ଲଢୁଥିଲେ ଦୁଇ ଦଳ । ହେଲେ ଏଥର ଅଧିକ ଲୋକସଭା ସିଟ୍ ବିଜେପି ଭାଗରେ ପଡୁଥିବା ବେଳେ ବିଧାନସଭାର ସିଂହ ଭାଗ ବିଜେଡି ହାତକୁ ଯାଇପାରେ । ତେବେ ବିଜେପି ୫୦ ବିଧାନସଭା ସିଟ୍ ଦାବି କରୁଥିବାରୁ ମେଂଟ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି ।

ତେବେ ୨୦୦୮ରେ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ପରେ ବିଜେପି ଓ ବିଜେଡି ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଆଉ ୨୦୦୯ ମାର୍ଚ୍ଚ ୨୯ ତାରିଖରେ ଦୁଇ ଦଳ ଅଲଗା ହୋଇଥିଲେ । ବିଜେଡି କ୍ରମାଗତ ନିର୍ବାଚନ ଜିତି କ୍ଷମତାସୀନ ହୋଇଥିଲା । ଆଉ ବିଜେପି ତିନି ନମ୍ବର ସ୍ଥାନକୁ ଖସି ଆସିଥିଲା । ତେବେ ୨୦୧୯ ନିର୍ବାଚନରେ ୨୩ ବିଧାନସଭା ସିଟ୍ ଜିତି ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । ହେଲେ ୨୦୨୪ ନିର୍ବାଚନରେ ଦୁଇ ଦଳ ମଧ୍ୟରେ ମେଂଟ ହେବାକୁ ଯାଉଛି । ସଂଖ୍ୟା ଗଣିତରେ ଆଗରେ ଥିବା ବିଜେଡି ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ନିଃସର୍ତ୍ତ ସମର୍ଥନ କରିବାଠୁ ଆରମ୍ଭ କରି ସଂସଦରେ ବିଭିନ୍ନ ବିଲ୍କୁ ନେଇ ବିଜେଡି ଘଊଇକୁ ସମର୍ଥନ କରିବା ପର‌୍ୟ୍ୟନ୍ତ ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ଦେଖିବା ବାକି ରହିଲା ଯଦି ମେଣ୍ଟ ହୁଏ ତେବେ ସିଟ୍ ଭାଗବଣ୍ଟା ସମୀକରଣ କେମିତି ରହିବ।

More Stories