ଭୁବନେଶ୍ୱର: ରାଜ୍ୟରେ ବିଜେପି ଓ ବିଜେଡି ମେଂଟର ଆନୁଷ୍ଠାନିକ ଘୋଷଣା ବାକି ରହିଛି । ଯେବେଠୁ ମେଂଟ ଚର୍ଚ୍ଚା ଆରମ୍ଭ ହୋଇଛି ସେବେଠୁ ଦଳଡିଆଁ ନେତାଙ୍କ ନିଦ ହଜି ଯାଇଛି । ନିର୍ବାଚନ ପାଖେଇବା ସହ ବିଜେପି ଓ ବିଜେଡିରେ ନେତାଙ୍କ ଅଧିକ ଦଳଡିଆଁ ଦେଖିବାକୁ ମିଳିଛି, ଯାହା ଏବେ ବି ଜାରି ରହିଛି। ତେବେ ମେଂଟ ହେଲେ ଏହି ନେତାଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ବିଶେଷ କରି ବିଜେଡି ଛାଡି ବିଜେପିରେ ମିଶିଥିବା ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ଓ ଦେବାଶିଷ ନାୟକଙ୍କ ଅବସ୍ଥା କଣ ହେବ । କଣ ସେମାନଙ୍କୁ ନିଜ ମନ ମୁତାବକ ସିଟରୁ ନିର୍ବାଚନ ଲଢିବାକୁ ଟିକେଟ୍ ମିଳିବ ? ନା ସେମାନେ ଦଳରେ କଣଠେସା ହୋଇ ରହିବେ ? ଏମିତି ଅନେକ ପ୍ରଶ୍ନ ।
ନିକଟରେ ବରିଷ୍ଠ ନେତା ତଥା ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଥିଲେ । ତାଙ୍କର ମନ୍ତବ୍ୟ ଏବଂ ଆଭିମୁଖ୍ୟକୁ ଦେଖିଲେ ଲାଗିଥାଏ ଯେ, ସେ ବିଜେଡିକୁ ଅଡୁଆରେ ପକାଇବା ଉଦ୍ଦେଶ୍ୟରେ ହିଁ ବିଜେପିରେ ମିଶିଛନ୍ତି । ଯେଉଁ ଦିନ ସେ ବିଜେପିରେ ମିଶିଲେ ସେହି ଦିନ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏବଂ ସିଧାସଳଖ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ ରାଜ୍ୟରେ ଶାସନ ପରିବର୍ତନ କରିବାର ସମୟ ଆସି ଯାଇଛି । ଏହି ସରକାରକୁ ଓପାଡି ଫିଙ୍ଗିବାର ସମୟ ଆସି ଯାଇଛି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଥିଲେ, ହିଞ୍ଜିଳିରୁ ମିଶନ ଆରମ୍ଭ ହେବ ଏବଂ ଭୁବନେଶ୍ୱରରେ ସରିବ । ବିଜେଡିରୁ ୨୦୨୦ରେ ବହିଷ୍କୃତ ହେବା ପରଠୁ ଏବଂ ବିଜେପିରେ ମିଶିବାର କେଇ ମାସ ପୂର୍ବରୁ ଏମିତି କୌଣସି ଦିନ ନାହିଁ ଯେଉଁ ଦିନ ସେ ବିଜେଡିକୁ ଶାଣିତ ସ୍ୱରରେ ଟାର୍ଗେଟ୍ କରି ନାହାନ୍ତି । ଏବେ ବିଜେପି ଓ ବିଜେଡି ମଧ୍ୟରେ ଯଦି ମେଂଟ ହୁଏ ତେବେ ପ୍ରଦୀପ କଣ କରିବେ ? ଗୋପାଳପୁରର ଏହି ବିଧାୟକଙ୍କୁ କଣ ବିଧାନସଭା ଟିକେଟ୍ ମିଳିବ ନା ଲୋକସଭାରେ ପ୍ରାର୍ଥୀ କରାଯିବ । କଣ ମେଂଟ ପରେ ବିଜେଡି ତାଙ୍କ ପାଇଁ ବାଧକ ସାଜିବନି ତ ? କୁହାଯାଉଛି ପ୍ରଦୀପଙ୍କୁ ବ୍ରହ୍ମପୁର ଲୋକସଭା ସିଟରୁ ପ୍ରାର୍ଥୀ କରାଇ ଦିଲ୍ଲୀ ପଠାଇ ଦିଆଯିବ । କାରଣ ରାଜ୍ୟ ରାଜନୀତିରେ ସେ ସକ୍ରିୟ ରୁହନ୍ତୁ ବିଜେଡି ଚାହୁଁନାହିଁ ।
ଏବେ ନଜର ପକାଇବା ଦେବାଶିଷ ନାୟକଙ୍କ ଉପରେ । ଏକଦା ସେ ନବୀନ ପଟ୍ଟନାୟକ ଶାସନ ସମୟରେ କ୍ଷମତା କରିଡରର ଜଣେ ପ୍ରଭାବଶାଳୀ ନେତା ଥିଲେ । ପାର୍ଟିରେ ତାଙ୍କ ପତିଆରା ବହୁତ ଥିଲା । ବରିରୁ କ୍ରମାଗତ ୪ ଥର ନିର୍ବାଚନ ଜିତିଥିବା ଦେବାଶିଷଙ୍କୁ ୨୦୧୯ରେ ଟିକେଟ୍ ଦେଇ ନ ଥିଲା ବିଜେଡି। ଏହା ପରଠୁ ସେ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ । ଆଉ ଗତ ଫେବୃଆରୀ ୨୫ରେ ବିଜେପିରେ ମିଶିଥିଲେ । ସେ କହିଥିଲେ ବିଜେଡି ଦଳ ଆଉ ସେହି ଦଳ ହୋଇ ରହିନାହିଁ । ନବୀନ ପଟ୍ଟନାୟକ ଆଉ କିଛି ବୁଝୁ ନାହାନ୍ତି । ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଜେଡି ଓ ରାଜ୍ୟକୁ ଚଳାଉଛନ୍ତି । ପରୋକ୍ଷରେ ସେ ଭିକେ ପାଣ୍ଡିଆନଙ୍କ ଟାର୍ଗେଟ୍ କରି ଏମିତି କହିଥିଲେ ଏବଂ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ । ଆଉ ଏବେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବାକୁ ଯାଉଛି। କଣ ବିଜେଡି ଚାହିଁବ ଯେଉଁ ନେତାମାନେ ଦଳ ଛାଡି ବିଜେପିରେ ମିଶିଛନ୍ତି ସେମାନଙ୍କୁ କଣ ମନ ମୁତାବକ ଟିକେଟ୍ ଦିଆଯିବ । ସଂପ୍ରତି ଏହା ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଣ ଦେବାଶିଷ ନାୟକଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳିବ ? କଣ ହେବ ତାଙ୍କ ରାଜନୈତିକ ଭବିଷ୍ୟତ ତାହା ଉପରେ ଏବେ ସଭିଙ୍କ ନଜର ।
ସେହିପରି ଆଉ ଜଣେ ଟାଣୁଆ ନେତା ହେଉଛନ୍ତି ପ୍ରଶାନ୍ତ ଜଗଦେବ । ଯାହାଙ୍କ ପ୍ରତି ଖୋର୍ଦ୍ଧା ଅଂଚଳବାସୀଙ୍କ ଜନସମର୍ଥନ ରହିଛି । ଜିଲ୍ଲାରେ ପ୍ରଶାନ୍ତଙ୍କ ଖୁବ୍ ଦବଦବା ରହିଛି । ୨୦୧୪ ସାଧାରଣ ନିର୍ବାଚନରେ ବେଗୁନିଆରୁ ବିଜେଡି ଟିକେଟରେ ଲଢି ଜିତିଥିଲେ । ୨୦୧୯ରେ ଚିଲିକା ଆସନରୁ ନିର୍ବାଚନ ଜିତିଥିଲେ । ତେବେ ପ୍ରାୟ ବିବାଦୀୟ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହିଥିବା ବାହୁବଳୀ ନେତା ପ୍ରଶାନ୍ତ ଜଗଦେବଙ୍କ ପ୍ରତି ବିଜେଡି କଠୋର ଆଭିମୁଖ୍ୟ ଆପଣେଇଥିଲା । ଦଳ ତାଙ୍କୁ ନିଲମ୍ବିତ ବି କରିଥିଲା । ଏହା ପରଠୁ ବିଜେଡି ସହ ପ୍ରଶାନ୍ତଙ୍କ ଦୂରତା ବଢିବାରେ ଲାଗିଥିଲା । ଆଉ ନିକଟରେ ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ୍ ହୋଇଛନ୍ତି । ଏହା ପରଠୁ ସେ ବିଜେଡି ନେତାଙ୍କୁ ଟାର୍ଗେଟ୍ କରି ଆସିଛନ୍ତି । ସସ୍ମିତ ପାତ୍ରଙ୍କୁ ସେ ମଲା ଘୋଡା ସହ ତୁଳନା କରିଥିଲେ । ଏବେ ବିଜେଡି ଓ ବିଜେପି ମେଂଟ ପରେ ପ୍ରଶାନ୍ତଙ୍କୁ ମେଂଟ ମଙ୍ଗୁଆଳ କଣ ଟିକେଟ୍ ଦେବେ ତାହା ମଧ୍ୟ ବଡ ପ୍ରଶ୍ନ । ୬ ଥରର ବିଧାୟକ ଅରବିନ୍ଦ ଢାଲି, ତିର୍ତୋଲ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଅବସ୍ଥା ମଧ୍ୟ ସମାନ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ମଧ୍ୟ କହିବା ମୁସ୍କିଲ । ମୋଟାମୋଟି ଭାବେ ବିଜେପି ଓ ବିଜେଡି ମେଂଟ ଦଳଡିଆଁ ନେତାଙ୍କ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।