Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ; ତଥାପି ବିଜେପି ସହ ମିଶିବାକୁ ବ୍ୟଗ୍ର କାହିଁକି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଏନଡିଏର ପତିଆରା ବଢାଇବାରେ ଲାଗିଛି । ରାଜ୍ୟମାନଙ୍କର ଆଂଚଳିକଦଳଗୁଡିକୁ ସାମିଲ କରିବାରେ ଲାଗି ପଡିଛି ବିଜେପି । ଓଡିଶାରେ ମଧ୍ୟରେ ବିଜେପି ଓ ବିଜେଡି ମେଂଟ ନେଇ ଦିଲ୍ଲୀରେ ଚାଲିଛି ସିଟ୍ ସେୟାରିଂ ଫର୍ମୁଲା ଉପରେ ଆଲୋଚନା । କୁହାଯାଉଛି ଏନଡିଏ ମେଂଟ ୪୦୦ରୁ ଅଧିକ ସିଟ୍ ଜିତିବା ଉଦ୍ଦେଶ୍ୟରେ ଓଡିଶାରେ ବିଜେଡି ସହ ଏହି ମେଂଟ କରୁଛି । ମାତ୍ର ଗୋଟିଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି ଯେ, ଦେଶର ଦ୍ୱିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ବିଜେପି ସହ ମିଶିବାକୁ ଏତେ ଆତୁର କାହିଁକି? ଯେଉଁ ଦଳ ଦୁଇ ଦଶନ୍ଧି ଧରି ଅପରାଜୟ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ରହିଛି, ଲୋକସଭା ହେଉ ବି ବିଧାନସଭା ହେଉ ଯାହା ପାଖରେ ସଂଖ୍ୟାବଳ ବହୁ ଯଥେଷ୍ଟ ରହିଛି ସେହି ବିଜେଡି ଆଜି ବିଜେପି ସହ ମେଂଟ କରିବା ପାଇଁ ଏତେ ବ୍ୟଗ୍ର କାହିଁକି?

ବିଜେଡିର କିଛି ବରିଷ୍ଠ ନେତାଙ୍କ କହିବା କଥା ୧୫ ବର୍ଷ ପରେ ବିଜେପି ସହ ମେଂଟ କରିବାର ଗୋଟିଏ କାରଣ ନବୀନ ପଟ୍ଟନାୟକ ନିଜର ଉତରାଧିକାରୀ ଯୋଜନା ଉପରେ କାମ କରୁଛନ୍ତି । ତେଣୁ ନବୀନ ବ୍ୟବହାରିକ ଏବଂ ବାସ୍ତବିକ ନିଷ୍ପତି ନେଉଛନ୍ତି । ସେ ସୁରକ୍ଷିତ ରାଜନୀତି କରିବାକୁ ଚାହାନ୍ତି । ନବୀନ ପଟ୍ଟନାୟକ ଲଗାତାର ପାଂଚ ଥର ନିର୍ବାଚନ ଜିତି ଏକଛତ୍ର ନେତା ହୋଇଥିଲେ ହେଁ ଏବେ ବୟସ ବଢୁଥିବାରୁ ସେ ଆଉ ସେତେ ସକ୍ରିୟ ରହି ପାରୁ ନାହାନ୍ତି । ତେଣୁ ସେ ନିଜର ଉତରାଧିକାରୀ ଘୋଷଣା କରିବା ଉପରେ କାମ କରୁଛନ୍ତି । ନବୀନଙ୍କ ପରେ ସେମିତି ନେତା ନାହାନ୍ତି ଯିଏ ବିଜେଡିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖି ପାରିବ । ଯେବେଠୁ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ ଘଟିଛି ତା ପରଠୁ ଦଳରେ ଅନ୍ତଃକଳହ ବଢିବାରେ ଲାଗିଛି । ନିର୍ବାଚନ ପାଖେଇବା ସହ ବିଜେଡିର ଅନେକ ବରିଷ୍ଠ ନେତା ଓ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଦଳର ଅନ୍ତଦ୍ୱର୍ନ୍ଦ୍ୱ ବଢିବାରେ ଲାଗିଛି । ଯାଉ ଯାହାର ଫାଇଦା ବିଜେପିକୁ ମିଳୁଛି ।

ଅଦ୍ୟାବଧି ଅରବିନ୍ଦ ଢାଲି, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ଦେବାଶିଷ ନାୟକ,ପ୍ରେମାନନ୍ଦ ନାୟକଙ୍କ ପରି ନେତା ବିଜେଡି ଛାଡି ସାରିଛନ୍ତି । ୍‌ଯଦି ଏମିତି ସ୍ଥିତି ଲାଗି ରହେ ତେବେ ବିଜେଡିର ସ୍ଥିତି ଦିନକୁ ଦିନ ଜଟିଳ ହୋଇଯିବ । ସେପଟେ ନବୀନ ପଟ୍ଟନାୟକ ଏଥର ନିର୍ବାଚନରେ ଅନେକ ସାଂସଦ ଓ ବିଧାୟକଙ୍କ ଟିକେଟ୍ କାଟିବାକୁ ଯୋଜନା ରଖିଛନ୍ତି । ସେ ନୂତନ ଚେହେରାଙ୍କୁ ଦଳରେ ସାମିଲ୍ କରାଇ ନିର୍ବାଚନ ଲଢାଇବାକୁ ଚାହାନ୍ତି । ଏହି କାରଣରୁ ବରିଷ୍ଠ ନେତା ଦଳରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସେପଟେ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କୁ ନିଜର ଉତରାଧିକାରୀ କରି ପାରନ୍ତି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ସାରା ରାଜ୍ୟ ଗସ୍ତ କରି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଛନ୍ତି ।

ଏହି ସବୁ କାରଣରୁ ଅନେକ ନେତା ବିଜେପିରେ ନିଜର ଭବିଷ୍ୟତ ଦେଖୁଛନ୍ତି । ଫଳରେ ବିଜେଡିରୁ ନେତାଙ୍କ ପଳାୟନ ଲାଗି ରହିଛି । ଏହାକୁ ରୋକିବା ପାଇଁ ନବୀନ ପଟ୍ଟନାୟକ ରଣନୀତିସ୍ୱରୂପ ବିଜେପି ସହ ମେଂଟ କରିବାକୁ ବାଧ୍ୟ ହୋଇଛନ୍ତି । ଏମିତି ହେଲେ ବିଦ୍ରୋହୀ ନେତା କି ଅନ୍ୟ ନେତା କର୍ମୀ ଦଳ ଛାଡି ଯାଇ ପାରିବେ ନାହିଁ । ଆଉ ଦଳରେ ସ୍ଥିରତା ମଧ୍ୟ ଆସିବ । ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ସହିତ ସମ୍ବନ୍ଧ ମଧ୍ୟ ଉତମ ରହିବ । ନବୀନ ପଟ୍ଟନାୟକଙ୍କ ଆଉ ଏକ ଯୋଜନା ମେଂଟ କରି ନିର୍ବାଚନ ଜିତିଲେ ମଧ୍ୟ ସେ ସରକାରରେ ବିଜେପିକୁ କୌଣସି ମନ୍ତ୍ରୀ ପଦ ଦେବେ ନାହିଁ । ଆଉ କେନ୍ଦ୍ର ସରକାରରେ ମଧ୍ୟ କୌଣସି ମନ୍ତ୍ରୀ ପଦ ମାଗିବେ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ବିଜେଡିକୁ ନେତାଙ୍କ ବିଦ୍ରୋହ, ବିଗୁଡୁଥିବା ସ୍ଥିତି ଏବଂ ସରକାର ବିରୋଧୀ ହାୱାରୁ ବଂଚାଇବା ପାଇଁ ବିଜେପି ସହ ମେଂଟ କରୁଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ