Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟ ପାଲ ସିଂ ତୋମାର, ରାଜ୍ୟରେ ଏକା ଲଢିବ ବିଜେପି

ଭୁୁବନେଶ୍ୱର: ଅଙ୍କ ଛିଣ୍ଡୁନି କି ମେଂଟ ଉପରେ ସସପେନ୍ସ ହଟୁନି । ଏମିତି ସ୍ଥିତି ଦେଇ ଗତ ସପ୍ତାହେ ହେବ ଗତି କରୁଛି ଓଡିଶା ରାଜନୀତି । ତେବେ ଗତକାଲି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କୁ କିଛିଟା ଆଶ୍ୱସ୍ତି କରିଥାଇପାରେ । ଏବେ ମନମୋହନଙ୍କ ପରେ ସମାନ କଥା କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ମେଂଟ ନେଇ କୌଣସି ଆଲୋଚନା ହୋଇ ନ ଥିବା କହିଛନ୍ତି ।

ସେ କହିଛନ୍ତି, ଏ ପର୍ଯ୍ୟନ୍ତ ମେଂଟ ନେଇ କୌଣସି ଆଲୋଚନା ହୋଇନି । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ୍ ପାଇ ସରକାର ଗଢିବୁ । ଲୋକସଭାରେ ଦଳ ୧୬ରୁ ଅଧିକ ଆସନରେ ବିଜୟୀ ହେବ । ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସଂପର୍କରେ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି, ମୋତେ କେହି ଭେଟି ନାହାନ୍ତି । ମେଂଟ କଥା ଯିଏ କହୁଛି ତାଙ୍କୁ ପଚାର ବୋଲି ରୋକ ଠୋକ୍ କହିଛନ୍ତି ।

ଉଲ୍ଲେଖନୀୟ ଗତକାଲି ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ଵରରେ ପହଞ୍ଚିବା ପରେ ବିମାନ ବନ୍ଦର ବାହାରେ ବିଜେପି କାହା ସହ ମେଣ୍ଟ ହେଉ ନ ଥିବା କହି ଓଡ଼ିଶା ରାଜନୀତିରେ ବଡ଼ ଟୁଇଷ୍ଟ ଆଣିଛନ୍ତି। ସେ ସ୍ପଷ୍ଟ ଭାବେ କହିଥିଲେ, ମେଣ୍ଟ ହେବନି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ଏକାକୀ ନିର୍ବାଚନ ଲଢିବ। ମେଣ୍ଟ ନେଇ କିଛି ଆଲୋଚନା ହୋଇନି। ଏକା ଲଢିବୁ ଆଉ ସରକାର କରିବୁ। ତେବେ ମନମୋହନ ସାମଲଙ୍କ ଏହି ମନ୍ତବ୍ୟ କଣ ରାଜ୍ୟ ରାଜନୀତି କେଉଁ ଦିଗକୁ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା। ଯଦି ରାଜ୍ୟ ବିଜେପି ଏବଂ କେନ୍ଦ୍ର ବିଜେପିର ଏହା ଚୂଡ଼ାନ୍ତ ନିଷ୍ପତ୍ତି ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

କିନ୍ତୁ ସାଂପ୍ରତିକ ରାଜନୀତିକୁ ଦେଖିଲେ ବିଜେଡି ତଥା ଦଳର ମୁଖିଆ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ଓ ବିଜେପି ଶରଣରେ ପଶି ଯାଇଛନ୍ତି । ମେଂଟ ନେଇ ନବୀନ ପଟ୍ଟନାୟକ ଯେମିତି ଆଗଭର ଏବଂ ଆତୁର ହୋଇଛନ୍ତି, ତାକୁ ମୋଦୀ, ଶାହ ମଧ୍ୟ କାଟି ପାରୁ ନାହାନ୍ତି । ମୋଦୀ-ନବୀନଙ୍କ କେମେଷ୍ଟ୍ରି ରାଜ୍ୟ ବିଜେପି ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି । କାରଣ ମେଂଟ ଚର୍ଚ୍ଚା ପରଠୁ ବିଜେଡି ଅପେକ୍ଷା ବିଜେପି ଶିବିରରେ ନିରାଶ ଛାଇ ଯାଇଛି । ନେତାଙ୍କଠୁ ନେଇ କର୍ମୀ ସଭିଏ ହତାଶ ହୋଇ ରହିଛନ୍ତି । ଜିଲ୍ଲା କାର୍ଯ୍ୟାଳୟଠୁ ନେଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସବୁଠି ନିରବତା ଛାଇ ଯାଇଛି । ସେପଟେ ଜାତୀୟ ଗଣମାଧ୍ୟମ ଶନିବାର ମେଂଟର ସ୍ୱରୂପ ନିର୍ଣ୍ଣୟ ହେବ ଓ ରବିବାର ସୁଦ୍ଧା ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ।

More Stories