Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାନ୍ସଫର୍ମର ପୋଡି ୨ ବର୍ଷଅନ୍ଧାରରେ ଦୁର୍ଗମ କାଞ୍ଜିଗୁଡା ଗାଁ

କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଗୁଡା ଗାଁ ଆଜକୁ ୨ ବର୍ଷ ହେବ ଅନ୍ଧାରରେ।ସୂଚନା ଅନୁଯାୟୀ ଗତ ୨ ବର୍ଷ ତଳେ ବଜ୍ରପାତ ଯୋଗୁଁ ଗାଁକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ନଷ୍ଟ ହୋଇଥିବା ଫଳରେ ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହି ଆସୁଛନ୍ତି।ପ୍ରାୟ ୬୫ ଘର ଆଦିବାସୀ ପରିବାର ବସବାସ କରୁଥିବା ଏହି ଦୁର୍ଗମ ଗାଁ ଚିରାଚରିତ ଅବହେଳିତ ଅବସ୍ଥାରେ ରହି ଆସୁଛନ୍ତି।୨୦୧୪ ମସିହାରେ ତତ୍କାଳୀନ ସାଂସଦ ଅର୍କ କେଶରୀ ଦେଓ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତକୁ ସାଂସଦଙ୍କ ଆଦର୍ଶ ପଞ୍ଚାୟତର ମାନ୍ୟତା ଦେଇ ଏହାର ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଥିଲେ। ଯାହାକୁ ନେଇ ଅଞ୍ଚଳ ବାସୀ ବେଶ୍ ଖୁସି ଜାହିର୍ କରିଥିଲେ। ପଞ୍ଚାୟତର ସମସ୍ତ ଗାଁର ବିକାଶ ହୋଇପାରିବ ଏଇ ଆଶା ଓ ଭରସାରେ ରହିଥିଲେ।ହେଲେ ବିକାଶ ତ ଦୂରର ବିଷୟ ଗମନାଗମନ ପାଇଁ ଆଦର୍ଶ ପଞ୍ଚାୟତର ଏହି ଆଦିବାସୀ ଗାଁ କାଞ୍ଜିଗୁଡାକୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ହୋଇପାରିନି।ହେଲେ ଗାଁକୁ ବିଦ୍ୟୁତ ସେବା ହିଁ ଏକମାତ୍ର ବ୍ୟବସ୍ଥା ହୋଇପାରିଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରକୁ ସଂଯୋଗୀକରଣ କରାଯାଇଥିଲା। ବଜ୍ରପାତରେ ପୋଡି ଯାଇଥିବା ଟ୍ରାନ୍ସଫର୍ମର ବଦଳାଇ ନୂତନ ଟ୍ରାନ୍ସଫର୍ମର ଆଣିବାକୁ ହେଲେ ଗ୍ରାମର ସମସ୍ତ ବିଦ୍ୟୁତ ଉପଭୋକ୍ତା ଟ୍ରାନ୍ସଫର୍ମରର ମୂଲ୍ୟ ଦେବାକୁ ପଡିବ ବୋଲି ବିଦ୍ୟୁତ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଯେଉଁଠି ଗରିବ ଆଦିବାସୀ ପରିବାର ଟଙ୍କାକିଆ ଚାଉଳ କିଣିବାରେ କଷ୍ଟ ହେଉଥିବା ବେଳେ ନୂତନ ଟ୍ରାନ୍ସଫର୍ମର ପାଇଁ ଏତେ ଟଙ୍କା କିପରି ସଂଗ୍ରହ କରିବେ ତାହା ଏକ ବଡ ପ୍ରଶ୍ନ।ସଂଧ୍ୟା ହେଲେ ଏହି ଜଙ୍ଗଲୀ ଇଲାକାରେ ସମସ୍ତଙ୍କ ଘରର ତାଟି ପଡିଥାଏ। ଅନ୍ଧାର ହେବା ପୁର୍ବରୁ ରାତ୍ର ଭୋଜନ ସାରିବାକୁ ବାଧ୍ୟ ହୁଅନ୍ତି ଗ୍ରାମବାସୀ।ଆଉ ଅନ୍ଧାର ହେଲେ ପିଲାଛୁଆଙ୍କ ପାଠପଢା ଚୁଲିକୁ ଗଲା ଭଳି ସ୍ଥିତି।ପ୍ରଶାସନ କିମ୍ବା ଜନପ୍ରତିନିଧି ମାନଙ୍କ ସହାୟତା ହିଁ କାଞ୍ଜିଗୁଡା ଗାଁକୁ ଅନ୍ଧାରରୁ ମୁକ୍ତ କରିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ