ଚଣ୍ଡିଗଡ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଛନ୍ତି । ଏହା ସହିତ ପୁରା କ୍ୟାବିନେଟ୍ ମଧ୍ୟ ଇସ୍ତଫା ଦେଇଛନ୍ତି । ଜନନାୟକ ଜନତା ପାର୍ଟି ଅର୍ଥାତ ଜେଜେପି ସହ ମେଂଟ ଭଙ୍ଗ ପରେ ବି ବିଜେପି ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରି ପାରେ । କୁହାଯାଉଛି ଲୋକସଭା ନିର୍ବାଚନରେ ସିଟ୍ ମାଗିବା ପରେ ବିଜେପି ଜେଜେପିଠୁ ଅଲଗା ହେବାକୁ ନିଷ୍ପତି ନେଇଥିଲା । ତେବେ ବିଜେପି ଓ ଜେଜେପି ମଧ୍ୟରେ ମେଂଟ ଭାଙ୍ଗିବାର କାରଣ ସ୍ପଷ୍ଟ ଜଣା ପଡିନାହିଁ । ହରିୟାଣା ବିଧାନସଭାର ୯୦ ସିଟରୁ ୪୧ ସିଟ୍ ବିଜେପି ପାଖରେ ରହିଛି।
ଖଟ୍ଟର ମଙ୍ଗଳବାର ରାଜ୍ୟପାଳ ବନ୍ଦାରୁ ଦତାତ୍ରେୟଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ଏହା ପରେ ପୁରା କ୍ୟାବିନେଟ୍ ରାଜ୍ୟପାଳଙ୍କ ସମ୍ମୁଖରେ ଇସ୍ତଫା ପତ୍ର ଉପସ୍ଥାପନ କରିଛନ୍ତି । କୁହାଯାଉଛି ଲୋକସଭା ନିର୍ବାଚନରେ ଖଟ୍ଟର କରନାଲ ସିଟରୁ ବିଜେପିର ପ୍ରାର୍ଥୀ ହୋଇ ପାରନ୍ତି । ହେଲେ ବିଜେପି ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଏ ପର୍ଯ୍ୟନ୍ତ କିଛି କହିନାହିଁ ।
ସୂଚନାଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୧ଟି ସିଟରେ ନିର୍ବାଚନ ଜିତିଥିଲା । କଂଗ୍ରେସ ଖାତାକୁ ୩୦ ଆସନ ଯାଇଥିବା ବେଳେ ଜେଜେପି ୧୦ଟି ସିଟ୍ ଜିତିବାକୁ ସଫଳ ହୋଇଥିଲା । ଏହା ବ୍ୟତୀତ ନିର୍ଦ୍ଦଳୀୟ ବିଧାୟକ ୭, ଆଇଏନଏଲଡି ଓ ହରିୟାଣା ଲୋକହିତ ପାର୍ଟି ଗୋଟିଏ ଲେଖାଏଁ ସିଟ୍ ଜିତିଥିଲେ । ସେହି ସମୟରେ ବିଜେପି ଓ ଜେଜେପି ମିଶି ରାଜ୍ୟରେ ସରକାର ଗଢିଥିଲେ ।