ବଡ ବର୍ଡାକଟା କେନ୍ଦୁପତ୍ର ଫଡ଼ି ବର୍ଷାଧିକ ଧରି ବନ୍ଦ ରହିବା ଯୋଗୁଁ ରେଞ୍ଜ ଅଧିକାରୀ ଙ୍କୁ ଦାବିପତ୍ର

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବଡବର୍ଡାକଟା ଗ୍ରାମରେ ଥିବା କେନ୍ଦୁପତ୍ର ଫଡ଼ି ଘର ପ୍ରାୟ ବର୍ଷେ ହେଲା ବନ୍ଦ ରହିଛି । ଫଳରେ ଉକ୍ତ ଗ୍ରାମରେ ଚଳିତ ବର୍ଷ କେନ୍ଦୁପତ୍ର ଗୋଛା କଟା ହୋଇ ପାରି ନାହିଁ। ତେଣୁ ଆଶା ଆଶଙ୍କା ରେ କେନ୍ଦୁପତ୍ର ତୋଳାଳୀ । ରେଢ଼ାଖୋଲ ବନଖଣ୍ଡ ଅଧିନସ୍ଥ ବହଲପଦର କେନ୍ଦୁପତ୍ର ରେଞ୍ଜ ଅଧୀନରେ ରହିଛି ବଡବର୍ଡାକଟା କେନ୍ଦୁପତ୍ର ଫଡି ଘର। ଉକ୍ତ ଫଡି ଘର ଉପରେ ବଡ଼ବର୍ଡାକଟା ,ପୁଲେଶ୍ଵର ଓ ରିଜୁମୁଣ୍ଡା ଗ୍ରାମର ଗୋଛା କଟାଳୀ ଓ ପତ୍ର ତୋଳାଳୀ ନିର୍ଭର କରନ୍ତି। ସେମାନେ ଏଠାରେ ଗୋଛା କାଟିବା ସହିତ ପତ୍ର ତୋଳି ଉକ୍ତ ଫଡ଼ି ରେ ବିକ୍ରି କରିଥାନ୍ତି। ମାତ୍ର ଗତ ବର୍ଷ ପତ୍ର ତୋଳା ପରେ ଉକ୍ତ ଫଡ଼ି ରେ କେନ୍ଦୁପତ୍ର ରଖା ଯାଇଥିଲା। ମାତ୍ର କେହି ଦୃର୍ବୁତ୍ତ ଉକ୍ତ ଫଡ଼ି ରେ ନିଆଁ ଲଗାଇ ଦେଇଥିଲା। ଫଳରେ ଉକ୍ତ ଫଡି ଘର ସଂପୂର୍ଣ୍ଣ ଜଳି ସବୁ ପତ୍ର ନଷ୍ଟ ହୋଇ ଯାଇଥିଲା। ସେହି କାରଣରୁ ନେଇ ଉକ୍ତ ଫଡ଼ି କୁ ରେଢାଖୋଲ ଡିଏଫଓ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେହି ଦିନରୁ ଉକ୍ତ ଫଡ଼ି ଘର ବନ୍ଦ ରହିଛି। ପ୍ରାୟେ ମାସେ ହେଲା ଉକ୍ତ ରେଞ୍ଜର ବିଭିନ୍ନ ଗ୍ରାମରେ କେନ୍ଦୁପତ୍ର ଗୋଛା କଟା ହେଉଥିଲେ ମଧ୍ୟ ବଡବର୍ଡ଼ାକଟା ଗ୍ରାମରେ ଗୋଛା କଟା ଆରମ୍ଭ ହୋଇ ନ ଥିଲା। ତେବେ ଗ୍ରାମବାସୀ ଏନେଇ ବିଭାଗର ମୁନସୀ ଓ ଚପରାସି ଙ୍କୁ ପଚାରିଥିଲେ। ମାତ୍ର ସେମାନେ ଗୋଛା କଟା ହେବ ନାଁ ନାହିଁ ଏ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଗ୍ରାମର ପ୍ରାୟ ଶହେ ରୁ ଅଧିକ କେନ୍ଦୁପତ୍ର ତୋଳାଳୀ ଓ ନବେ ରୁ ଅଧିକ ଗୋଛା କଟାଳି ଏବେ କାମ ନ ପାଇ ବସି ରହିଛନ୍ତି। ସେମାନଙ୍କ ପିଲାଏ କେନ୍ଦୁପତ୍ର ଛାତ୍ର ବୃତ୍ତି ,ବିବାହ ସହାୟତା , ମୃତ୍ୟୁ କାଳୀନ ସହାୟତା ସମେତ ଅନ୍ୟାନ୍ୟ ସହାୟତା ପାଇବାରେ ସମସ୍ୟା ଦେଖା ଦେଇପାରେ। ତେଣୁ ମଙ୍ଗଳବାର ଗ୍ରାମବାସୀ ଅମରପାଲି ସ୍ଥିତ କେନ୍ଦୁପତ୍ର କାର୍ଯ୍ୟାଳୟ କୁ ଆସି ରେଞ୍ଜ ଅଧିକାରୀ ଙ୍କୁ ଗ୍ରାମରେ ଗୋଛା କଟା କରିବା ସହିତ ପତ୍ର ତୋଳିବା ପାଇଁ ଅନୁମତି ଦେବାକୁ ଦାବୀପତ୍ର ପ୍ରଦାନ କରିଛନ୍ତି । ରେଞ୍ଜ ଅଧିକାରୀ ଙ୍କ ଅନୁପସ୍ଥିତ ରେ ଉକ୍ତ ସେକ୍ସନ ର ବନପାଳ ବିଦ୍ୟୁତ ବେହେରା ଙ୍କୁ ଗ୍ରାମବାସୀ ଦାବୀପତ୍ର ପ୍ରଦାନ କରିଛନ୍ତି । ଗୋଛା କଟାଳି ଓ କେନ୍ଦୁପତ୍ର ତୋଳାଳି ଙ୍କ ସମସ୍ୟା କୁ ଦେଖି ବିଭାଗ ଏହାର ସମାଧାନ କରିବାକୁ ସାଧାରଣ ରେ ଦାବୀ ହେଉଛି ।